ଭୁବନେଶ୍ବର: ଇଂଜିନିୟରିଂ ଛାତ୍ରଛାତ୍ରୀମାନଙ୍କୁ ବୈଷୟିକ ଶିକ୍ଷା ଓ ବୃତ୍ତି କ୍ଷେତ୍ରରେ ସୁସଙ୍ଗଠିତ ଭାବେ ଗଢିତୋଳିବାର ଲକ୍ଷ୍ୟ ନେଇ 'ନାଇନଥସେମ' ଷ୍ଟାର୍ଟଅପ ସ୍ୱାଧୀନତା ଦିବସ ଅବସରରେ ଲୋକାର୍ପିତ ହୋଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଷ୍ଟାର୍ଟଅପଟି ଉଦଘାଟିତ ହୋଇଥିଲା । ଆବଶ୍ୟକୀୟ ଶିକ୍ଷା ଅଭାବରୁ ନିଜର କର୍ମକ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ନାଇନଥସେମ ଏକ ଆଦର୍ଶ ସୁଯୋଗ ସୃଷ୍ଟି କରିବ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଯେ ଭାରତ ସରକାରଙ୍କ ଷ୍ଟାର୍ଟଅପ ଇଣ୍ଡିଆଠାରୁ ସ୍ଵୀକୃତିପ୍ରାପ୍ତ ଏବଂ ଉଚ୍ଚ ପ୍ରଶଂସିତ ନାଇନଥସେମ ବୃତ୍ତିଗତ ଶିକ୍ଷା ପ୍ରଦାନରେ କ୍ଷେତ୍ରରେ ଏକ ଅଭିନବ ଓ ନୂଆ ପ୍ରୟାସ ଅଟେ । ଜିଆଇଇଟି ଗୁଣୁପୁରର ତିନିଜଣ ଇଞ୍ଜିନିୟରଙ୍କ ଦ୍ଵାରା ଏହି ଷ୍ଟାର୍ଟଅପଟି ପ୍ରତିଷ୍ଠା କରାଯାଇଛି । ଏଥିରେ ମୁଖ୍ୟତଃ ସାର୍ଟିଫିକେଟ କୋର୍ସ ଅନ ଇଣ୍ଡଷ୍ଟ୍ରି, ମକ ଇଣ୍ଟରଭ୍ୟୁ, ସିଭି ମେକିଙ୍ଗ ଆଦି ଉପରେ ବିସ୍ତୃତ ଶିକ୍ଷା ପ୍ରଦାନ କରାଯିବ । ସେହିଭଳି କ୍ୟାମ୍ପସ ଚୟନରେ ଇଣ୍ଡଷ୍ଟ୍ରିଆଲ୍ ନେଟୱର୍କିଂ ସହ ବିଶେଷଜ୍ଞଙ୍କଠାରୁ ନିଯୁକ୍ତି ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ପ୍ରଦାନ କରାଯିବ ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ