ଭୁବନେଶ୍ବର: ପୂଜା ପାଇଁ ରାଜଧାନୀରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ । ଏଥିପାଇଁ ରାତି ୮ଟା ସୁଦ୍ଧା ଘରକୁ ଫେରିଯିବାକୁ ଲୋକଙ୍କୁ ଅପିଲ କରିଛି କମିଶନରେଟ ପୋଲିସ । ସମସ୍ତ କାମ ସାରି ୮ ସୁଦ୍ଧା ଫେରିବାକୁ ଭୁବନେଶ୍ବର ଡିସିପି ନିବେଦନ କରିଛନ୍ତି । ନଚେତ ସନ୍ଧ୍ୟା ୭ଟାରୁ ଲାଗିବ ନାକା ଚେକ୍ । ନାଇଟ୍ କର୍ଫ୍ୟୁ ବେଳେ ୨୫ଟି ନାଇଟ୍ ପାଟ୍ରୋଲିଂ ଗାଡ଼ି ସହ ସହରରେ ପଇଁତରା ମାରିବ ପିସିଆର ଭ୍ୟାନ୍ । ଏଥିପାଇଁ ରାଜଧାନୀରେ ୨୦ ପ୍ଲାଟୁନ ପୋଲିସ ମୁତୟନ ହେବେ ।
ଏହାସହ କର୍ଫ୍ୟୁ ବେଳେ ବୁଲାବୁଲି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ କମିଶନରେଟ ପୋଲିସ ଚେତେଇ ଦେଇଛି । ଏଥିପାଇଁ ସହରବାସୀଙ୍କୁ ସନ୍ଧ୍ୟା ୬ଟାରୁ ବିଭିନ୍ନ ଥାନା ଅଞ୍ଚଳରେ ବୁଲିବୁଲି ପୋଲିସ ଲୋକଙ୍କୁ କର୍ଫ୍ୟୁ ସମ୍ପର୍କରେ ଅବଗତ କରାଇବ । ଏଥିପାଇଁ ଡିସିପିଙ୍କ ସହ ଅତିରିକ୍ତ ଡିସିପି, ଏସିପିମାନେ ସୁପରଭିଜନ କରିବେ । ଏହାସହ ଆଇଆଇସି ଓ ଥାନା କର୍ମଚାରୀଙ୍କୁ ଏନେଇ କଡ଼ା ଆଲର୍ଟ କରାଯାଇଛି ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ