ଭୁବନେଶ୍ବର: ଝାରପଡା ଜେଲରେ ଜେରା ହେବ ହାର୍ଡକୋର ମାଓବାଦୀ ଦୁବାସି ଶଙ୍କର । NIA ଟିମ୍ କରିବ ଟେରର ଲିଙ୍କର ଜେରା । ଯେଉଁଥିରେ ଖୋଲିବ 7ଟି ମାଓ ହାମଲା(maoist attack)ର ଗୁମର । ଏହି ୭ଟି ଆକ୍ରମଣରେ ୧୫ ଜଣଙ୍କ ଜୀବନ ନେଇଛି ଦୁର୍ଦ୍ଦାନ୍ତ ମାଓବାଦୀ ଦୁବାସି । ୨୦୧୨ ମାଲକାନଗିରି ଚିତ୍ରକୋଣ୍ଡା ବିସ୍ଫୋରଣ ସହ ବିଏସଏଫ୍ କମାଣ୍ଡାଣ୍ଟ ଓ ୩ ଯବାନଙ୍କ ମୃତ୍ୟୁ ମାମଲାରେ ମଧ୍ୟ ତାହାର ହାତ ରହିଛି । ଷ୍ଟେଟ୍ ମିଲଟ୍ରିର ମୁଖ୍ୟ ଏହି ହାର୍ଡକୋର ମାଓବାଦୀକୁ ଗତ ସେପ୍ଟେମ୍ବରରେ ଗିରଫ କରାଯାଇଥିବାବେଳେ ସେ ମିଲଟ୍ରି କମାଣ୍ଡ ଥିବା ସମୟରେ ତା'ର କାହା କାହା ସହ ଲିଙ୍କ୍ ଥିଲା ଏବଂ କିଭଳି ଅସ୍ତ୍ରଶସ୍ତ୍ର ଆଣୁଥିଲା ସେନେଇ ଜେରା କରିବ ୩ ଜଣିଆ NIA ଟିମ୍ । ଏଥିପାଇଁ ସ୍ବତନ୍ତ୍ର NIA କୋର୍ଟ ଅନୁମତି ଦେଇଛି ।
ଗତ ସେପ୍ଟେମ୍ବର ୯ରେ କୋରାପୁଟ ବୈପାରୀଗୁଡ଼ା ପୋଲିସ ହାତରେ ଧରିପଡିଥିଲା ଦୁବାସି ଶଙ୍କର । ସେବେଠୁ ଏହି ହାର୍ଡକୋର ମାଓବାଦୀ ଝାରପଡା ଜେଲରେ ରହିଛି । ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ଏକାଧିକ ମାଓ ହିଂସାକାଣ୍ଡରେ ତା'ର ସମ୍ପୃକ୍ତ ରହିଛି । ପୂର୍ବରୁ ଦୁବାସିକୁ ଧରିବାକୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା ଓଡିଶା ପୋଲିସ ।
ହାର୍ଡକୋର ମାଓବାଦୀ ଦୁବାସି ଶଙ୍କରର କ୍ରାଇମ ହିଷ୍ଟ୍ରି:
ଷ୍ଟେଟ ମିଲଟ୍ରି କମିଶନର ହର୍ତ୍ତାକର୍ତ୍ତା ବୋଲାଉଥିବା ଏହି ହାର୍ଡକୋର ମାଓବାଦୀର 2009ରେ ଦାମନଯୋଡି ସିଆଇଏସଏଫ ଆଟାକରେ ହାତ ଥିଲା । ଯେଉଁଥିରେ 10 ଜଣ ଶହୀଦ ହୋଇଥିଲେ । ସେହିପରି 2010ରେ ଗୋବିନ୍ଦପାଲରେ ହୋଇଥିବା ବଡ ଧରଣର ଆଟାକରେ ମଧ୍ୟ ଦୁବାସି ଶଙ୍କର ସାମିଲ ଥିଲା । ଏହି ଆଟାକରେ ଜଣେ ଶହୀଦ ହୋଇଥିଲେ । ସେହିପରି 2011 ଜାନିଗୁଡା ଆମ୍ବୁସ ଆକ୍ରମଣରେ 4 ବିଏସଏଫ ଯବାନ ଶହୀଦ ହୋଇଥିଲେ । ଏଥିରେ ମଧ୍ୟ ଏହି ଦୁର୍ଦ୍ଦାନ୍ତ ମାଓବାଦୀର ସମ୍ପୃକ୍ତି ଥିଲା । ଏହିପରି ଭାବେ 7ଟି ବଡ ଧରଣର ମାଓ ହାମଲାରେ ସାମିଲ ଥିଲା ଶଙ୍କର ।
ତା' ବିରୁଦ୍ଧରେ କୋରାପୁଟରେ ଦୁଇଟି କେସ୍, ମାଲକାନଗିରିରେ 18ଟି, ବିଶାଖାପାଟନମରେ 32ଟି ଓ ତେଲେଙ୍ଗାନାରେ 24ଟି କେସ୍ ରହିଛି । ଶଙ୍କରକୁ ମିଶାଇ ଚଳିତ ବର୍ଷ ମୋଟ 26 ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି । ଅନ୍ୟପଟେ ଗୁମ୍ମା ଏରିଆ କମିଟିର ସୋନାଲ ମାଡଭି ଓରଫ କିରଣ କୋରାପୁଟ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ସେ ଗୁମ୍ମା ଏରିଆ କମିଟି AOBSZCର (ACM) ଅଧୀନରେ ଏରିଆ କମିଟି ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ଘର ଛତିଶଗଡ ବିଜାପୁର ଅନ୍ତର୍ଗତ ଜାରାପାଲ୍ଲୀ ଅଞ୍ଚଳରେ ହୋଇଥିବା ଜଣାଯାଇଛି ।
ସୋନାଲ ମାଡଭି 2012 ମସିହାରେ ଛତିଶଗଡର ପାମେଡୁ ଏରିଆ କମିଟିରେ ସିପିଆଇ (ମାଓବାଦୀ) ସଙ୍ଗଠନରେ ଅନ୍ତର୍ଭୁକ୍ତ ହୋଇଥିଲା । ତାଙ୍କୁ 2012 ମସିହାରେ ସାମରିକ ତାଲିମ୍ ଦିଆଯାଇଥିଲା । ସେ 2018 ମସିହାରେ ଗିରଫ ହୋଇଥିଲେ । 2019 ମେ ମାସରେ ଜେଲରୁ ମୁକୁଳିବା ପରେ ସୋନାଲ ମାଡଭି ପେଡାବାୟାଲୁ ଏସିରେ ଯୋଗ ଦେଇଥିଲେ । କାରଣ ତାଙ୍କ ପତ୍ନୀ ତାଲସୋ ମାଓବାଦୀଙ୍କ ସହ କାମ କରୁଥିଲେ । ପରେ ତାଙ୍କୁ ଗୁମ୍ମା ଏସି ସ୍ଥାନାନ୍ତର କରାଯାଇଥିଲା ଏବଂ ଆଜି ପର୍ଯ୍ୟନ୍ତ ସେ ସେଠାରେ କାମ କରିଆସୁଥିଲେ । ସୁରକ୍ଷା ବାହିନୀ ଉପରେ ହୋଇଥିବା 5ଟି ଆକ୍ରମଣରେ ତାଙ୍କର ସମ୍ପୃକ୍ତି ଥିଲା ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ