ଭୁବନେଶ୍ବର: ୟୁଜି (UG) ପାଠ୍ୟକ୍ରମରେ ଯୋଡ଼ି ହେଲା ନୂଆ କୋର୍ସ୍ । ନୈତିକ ଶିକ୍ଷା (moral education) ଉପରେ ସ୍ବତନ୍ତ୍ର ପାଠ୍ୟକ୍ରମ ୟୁଜିରେ ସାମିଲ କରାଯାଇଛି । ଯୁକ୍ତ ୩ ରେ ଏକ ବାଧ୍ୟତାମୂଳକ ବିଷୟ ଭାବେ ଏହି ସ୍ବତନ୍ତ୍ର ପାଠ୍ୟକ୍ରମ ଯୋଡ଼ି ହୋଇଛି । ଓଡ଼ିଶା ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ 'ନୀତିଶାସ୍ତ୍ର ଓ ମୂଲ୍ୟବୋଧ' ବା 'ଏଥିକ୍ସ ଆଣ୍ଡ ଭାଲ୍ୟୁଜ୍' (ethics and values book) ବହି ପ୍ରସ୍ତୁତ କରାଯାଇଛି । ଆଜି(ଶନିବାର) ପରିଷଦର କାର୍ଯ୍ୟାଳୟରେ ବିଭାଗୀୟ ମନ୍ତ୍ରୀ, ସଚିବ ଓ ପରିଷଦର ଉପାଧ୍ୟକ୍ଷଙ୍କ ଉପସ୍ଥିତିରେ ଏହି ପୁସ୍ତକ ଉନ୍ମୋଚିତ ହୋଇଛି।
ଏହାର ଭିଡ଼ିଓ ଲେକ୍ଚର ସହ ପରିଷଦ ଓ୍ବେବସାଇଟ୍ରେ ବହିର ଡିଜିଟାଲ ଭର୍ସନ ଉପଲବ୍ଧ ମଧ୍ୟ ରହିଛି। ଏହି ବିଷୟରେ ୬ଟି ୟୁନିଟ ରହିଛି। ୟୁଜିର ସବୁ ଷ୍ଟ୍ରିମ୍ରେ ବାଧ୍ୟତାମୂଳକ ଥିବା ସହ ସମସ୍ତ ୬ଟି ସେମିଷ୍ଟାରରେ ୨୫ ମାର୍କ ଲେଖାଏଁ ପରୀକ୍ଷା ହେବ। ଚଳିତ ଶିକ୍ଷାବର୍ଷରୁ ୟୁଜି ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଏହା ଲାଗୁ ହେବ । ଓଡ଼ିଶାକୁ ଏକ ଜନମଙ୍ଗଳ ରାଜ୍ୟ ରୂପେ ଗଢିତୋଳିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ଠାପର ପ୍ରୟାସରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ଲାଗୁ କରାଯାଉଥିବା ନୀତିଶାସ୍ତ୍ର ଓ ମୂଲ୍ୟବୋଧ ଶିକ୍ଷାର ଏହି ପାଠ୍ୟଖସଡ଼ା ଆଉ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବାକୁ ଯାଉଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କଠାରେ ସକାରାତ୍ମକ ଚରିତ୍ର, ସହାନୁଶୀଳ ମଣିଷପଣିଆ, ଦାୟିତ୍ଵପୂର୍ଣ୍ଣ ନାଗରିକବୋଧ ଓ ଅନୁକମ୍ପାର ବିକାଶ କରାଇବା ବୋଲି କୁହାଯାଇଛି।
ବ୍ୟକ୍ତିବିଶେଷ, ଗୋଷ୍ଠୀ ତଥା ସମଗ୍ର ମାନବଜାତି ନିମନ୍ତେ ଏକ ପୋଷଣୀୟ ଜୀବନଧାରା (Sustainable Life-sole) କୁ ପ୍ରୋତ୍ସାହିତ କରିବା ଏହାର ଲକ୍ଷ୍ୟ। ଗୋଟିଏ ୟୁନିଟ ବିଷୟ ପଢ଼ାଯିବା ପାଇଁ ୧୫ଟି ପିରିଅଡ଼ ରହିବ ।
Unit-1: Women, Social Institutions and Practices
Unit-2: Values and Good Citizenship
Unit-3: Issues of Drug and Tobacco Addiction etc.
Unit-4: Ethical Values for Life
Unit-5: Vulnerable Sections of Society- Understanding their issues
Unit-6: Environmental and Techno-ethics
ଏହାମଧ୍ୟ ପଢନ୍ତୁ: Covid Third Wave: ତୃତୀୟ ଲହର ନିଶ୍ଚିତ, ମୁକାବିଲା ପାଇଁ ଓଡିଶା ପ୍ରସ୍ତୁତ
ଛାତ୍ରଛାତ୍ରୀମାନେ ଯେପରି ସ୍ବଚ୍ଛତା ପଣକୁ ବୁଝିପାରିବେ ଏବଂ ନିଜ ବ୍ୟବହାରରେ ଠିକ୍ଭୁଲର ବିଚାରପୂର୍ବକ ସଦାଚାରକୁ ଆପଣେଇ ପାରିବେ ତଥା ପେଶାଗତ ନୀତିକୁ ଅନୁସରଣ କରି ଏକ ସକାରାତ୍ମକ କାର୍ଯ୍ୟ ସଂସ୍କୃତିକୁ ନିଜଠାରେ ପ୍ରୟୋଗ କରି ଉତ୍ତମ ସମାଜ ଗଠନର ନେତୃତ୍ବ ନେଇପାରିବେ, ତଦନୁଯାୟୀ ଏହି ପାଠ୍ୟସୂଚୀ ପ୍ରସ୍ତୁତ କରାଯାଇଛି ।
ଏଭଳି ଅଭିନବ ପାଠ୍ୟଖସଡ଼ା ଉଚ୍ଚଶିକ୍ଷାକୁ ଅଧିକ ଗୁଣାତ୍ମକ କରିବା ସହିତ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶରେ ସହାୟକ ହେବ। ଉତ୍ତମ ରାଜ୍ୟ ଗଠନ ପାଇଁ ବାଟ କଢ଼ାଇବା ନେଇ ଲକ୍ଷ୍ୟ ରହିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ