ଭୁବନେଶ୍ବର: ନୂଆବର୍ଷରେ ନୂଆ ସଭାପତି । ରାଜ୍ୟ କଂଗ୍ରେସର ମଙ୍ଗ ଧରିବେ ନୂଆ ନେତା। ଏନେଇ ଆଭାସ ଦେଇଛନ୍ତି ବର୍ତ୍ତମାନର ସଭାପତି ନିରଞ୍ଜନ ପଟ୍ଟନାୟକ ।
ଆସନ୍ତା ଜାନୁଆରୀରେ ପିସିସି ଓ ଜିଲ୍ଲା କଂଗ୍ରେସ କମିଟି ସଭାପତିଙ୍କ ନାଁ ଘୋଷଣା କରାଯିବ । ସଭାପତି ପଦକୁ ନେଇ ରାଜ୍ୟ କଂଗ୍ରେସରେ ପ୍ରତିଦିନ କିଛି ନା କିଛି ଚର୍ଚ୍ଚା ହେଉଛି। ଭୁବନେଶ୍ବରରୁ ଦିଲ୍ଲୀ ସବୁଠି ଚାଲିଛି ବିଦ୍ରୋହୀଙ୍କ ଗୁପ୍ତ ବୈଠକ । ବର୍ତ୍ତମାନର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବାକୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ମିଶନ ଚଳାଇଛନ୍ତି ।
ନିକଟରେ ରାଜ୍ୟ କଂଗ୍ରେସର ମହିଳା ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଭେଟି ଦାବିପତ୍ର ଦେଇଥିଲେ । ସେମାନଙ୍କ ଦାବିକୁ ସୋନିଆ ଶୁଣିଛନ୍ତି । ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ବିଦ୍ରୋହୀ ଗୋଷ୍ଠୀଙ୍କ ଦିଲ୍ଲୀରେ ଲବି ବେଶ ଦୃଢ ରହିଛି । ଜାତୀୟ ସ୍ତରର ବରିଷ୍ଠ ନେତାଙ୍କୁ ଧରି ଏମାନେ ଗୋଟି ଚାଲାଣ କରୁଛନ୍ତି । ତେବେ ସାଧାରଣ ନିର୍ବାଚନରେ କଂଗ୍ରେସର ପରାଜୟ ପରେ ନିରଞ୍ଜନଙ୍କ ସହ ଦଳୀୟ କର୍ମୀ କେହି ନଥିବା କଥା ପଦାରେ ପଡିଛି । ଯଦିଓ ପୂର୍ବ ତୁଳନାରେ ଦଳ ବର୍ତ୍ତମାନ ଅଳ୍ପ ପରିମାଣରେ ସକ୍ରିୟ ହୋଇଛି ଏବଂ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଅଡୁଆରେ ପକାଉଛନ୍ତି, ତଥାପି ଖୋଦ ସଭାପତି ନିଜେ ଏପର୍ଯ୍ୟନ୍ତ କର୍ମୀଙ୍କୁ ଏକାଠି କରିବା, ତୃଣମୂଳ ସ୍ତରରେ ଦଳକୁ ସଜାଡ଼ିବା ଭଳି କୌଣସି ପଦକ୍ଷେପ ନେଇପାରିନାହାନ୍ତି । ଯାହାକୁ ନେଇ ଦଳୀୟ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ