ଭୁବନେଶ୍ବର: ବିଏସଏଫକୁ ମିଳିଲା ନୂଆ ଆଇଜି । ଆଜି ଖୋର୍ଦ୍ଧା ବିଏସଏଫ କାର୍ଯ୍ୟାଳୟରେ ଏକେ ସିଂଙ୍କ ଠାରୁ ଦାୟିତ୍ବ ନେଇଛନ୍ତି ହରମିନ୍ଦ୍ର ପାଲ । ବିଦାୟୀ ଆଇଜି ଏକେ ସିଂ ମାଓ ମୁକାବିଲାରେ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଳାଇ ଥିଲେ । ବିଶେଷ କରି ବର୍ତ୍ତମାନ ରାଜ୍ୟରେ 10 ହଜାରରୁ ଅଧିକ ଯବାନ ନିୟୋଜିତ ଅଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ମାଲକାନଗିରି ଓ କୋରାପୁଟରେ ମୁତୟନ ହୋଇଛନ୍ତି । ଯାହା ନୂତନ ଆଇଜିଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇପାରେ ।
ନୂତନ ଆଇଜି ଜାମ୍ମୁ କାଶ୍ମୀରରେ କାମ କରିବା ସହ ଗରିଲା ଯୁଦ୍ଧ ଉପରେ ଗଭୀର ଜ୍ଞାନ ଥିବାରୁ ତାଙ୍କ ପାଇଁ ବିଶେଷ ସମସ୍ୟା ହେବ ନାହିଁ ବୋଲି ଆଶା କରାଯାଉଛି । ତେବେ ରାଜ୍ୟ ପ୍ରଶାସନ ଓ ସମସ୍ତ ସୁରକ୍ଷା ବଳଙ୍କ ସହ ସମନ୍ବୟ ରକ୍ଷା କରି ଅପରେସନ ପରିଚାଳନା କରିବା ତାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ରହିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ