ଭୁବନେଶ୍ବର: ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଏନେଇ ମୋଦିଙ୍କୁ ପୁଣି ଲେଖିଛନ୍ତି ଚିଠି । ଓଡିଶାର ସ୍ବାର୍ଥ ସମ୍ପର୍କିତ ପ୍ରସଙ୍ଗର ସମାଧାନ ନହେବା ଯାଏଁ ପ୍ରକଳ୍ପ ବନ୍ଦ କରିବାକୁ ଦାବି କରିଛନ୍ତି ନବୀନ ।
ଚିଠିରେ ନବୀନ ଦର୍ଶାଇଛନ୍ତି ଯେ ପୋଲାଭରମ ପ୍ରକଳ୍ପ ହେଲେ ଏହା ଓଡିଶା ଉପରେ ନକରାତ୍ମକ ପ୍ରଭାବ ପକାଇବ । ବିଶେଷ କରି ମାଲକାନଗିରି ଜିଲ୍ଲାର ଆଦିବାସୀ ଏହି ପ୍ରକଳ୍ପ ଦ୍ବାରା ପ୍ରଭାବିତ ହେବେ । ପୋଲାଭରମର ବ୍ୟାକ ୱାଟର ଦ୍ବାରା ବହୁ ସଂଖ୍ୟାରେ ଆଦିବାସୀ ଗ୍ରାମ ବୁଡିଯିବ । ଏହାଦ୍ବାରା ଅନେକ ଆଦିମ ଅଧିବାସୀ ବିସ୍ଥାପିତ ହେବେ । ଏହାସହ ହଜାର ହଜାର ଏକର ଉର୍ବର ଚାଷଜମୀ ଓ ଜଙ୍ଗଲ ମଧ୍ୟ ଜଳମଗ୍ନ ହେବ ।
ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି ଯେ ଯଦି ସୁପ୍ରିମକୋର୍ଟରେ ବିଚାରଧୀନ ଏହି ବିବାଦର ସମାଧାନ ପାଇଁ ସୁଯୋଗ ସୃଷ୍ଟି କରାଯାଏ ତେବେ ଏହିସବୁ ସମସ୍ୟାର ସମାଧାନ ହୋଇପାରିବ । ପୋଲାଭରମ ପ୍ରକଳ୍ପକୁ ନୂଆ କରି ଗୋଦାବରୀ ଜଳ ବିବାଦ ଟ୍ରିବ୍ୟୁନାଲର ମାନଦଣ୍ଡ ଅନୁଯାୟୀ କରାଯାଇପାରିବ । ଏହାଦ୍ବାରା ଓଡିଶାର ଜଙ୍ଗଲ, ଚାଷଜମୀ ଓ ଆଦିମ ଅଧିବାସୀଙ୍କ ଗାଁ ଅଧିକ ମାତ୍ରାରେ ଜଳମଗ୍ନ ହେବ ନାହିଁ । ଯଦି ମାମଲାର ସ୍ଥାୟୀ ସମାଧାନ କରାନଯାଇ ପ୍ରକଳ୍ପ କାମ ଶେଷ ହୁଏ ତେବେ ଚିରକାଳ ପାଇଁ ଓଡିଶା କ୍ଷତିଗ୍ରସ୍ତ ହେବ ବୋଲି ସେ କହିଛନ୍ତି ।
ଏହି ଚିଠିରେ ସେ ପୂର୍ବରୁ ଲେଖିଥିବା ଚିଠି ଓ ସୁପ୍ରିମକୋର୍ଟଙ୍କ ରାୟକୁ ମଧ୍ୟ ଉଲ୍ଲେଖ କରିଛନ୍ତି । ଏହି ମର୍ମରେ ମୁଖ୍ୟମନ୍ତ୍ରୀ ପୂର୍ବରୁ ସେପ୍ଟେମ୍ବର 16 ତାରିଖ 2015, ନଭେମ୍ବର 28 ତାରିଖ 2017 ଏବଂ ଜୁଲାଇ 12 ଓ ନଭେମ୍ବର 21 ତାରିଖ 2018ରେ ଚାରୋଟି ଚିଠି ଲେଖିଛନ୍ତି । ଏଥିରେ ସେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଉପରେ ଅଭିଯୋଗ ଆଣିଥିଲେ । କାମ ବନ୍ଦ ଆଦେଶ ଉପରେ ସ୍ଥଗିତାଦେଶକୁ ମନ୍ତ୍ରଣାଳୟ ବାରମ୍ବାର ଘୁଞ୍ଚାଇ ଚାଲିଛନ୍ତି । ଏଥିପାଇଁ ଓଡିଶାର ମତାମତ ନିଆଯାଉନାହିଁ ବୋଲି ନବୀନ ଉଦବେଗ ପ୍ରକାଶ କରିଥିଲେ ।
ଉଲ୍ଲେଖଯୋଗ୍ୟ ଯେ 2005 ଅକ୍ଟୋବର 25 ତାରିଖରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା । ସେ ସମୟରେ ଓଡିଶାର ସମ୍ଭାବ୍ୟ କ୍ଷତିଗ୍ରସ୍ତ ଅଞ୍ଚଳରେ ଗୋଟିଏ ମଧ୍ୟ ଜନଶୁଣାଣି ହୋଇନଥିଲା । ପ୍ରକଳ୍ପର ଡିଜାଇନ ପରିବର୍ତ୍ତନ ହେବା ପରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ପ୍ରକଳ୍ପ କାମ ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ମନ୍ତ୍ରଣାଳୟ କାର୍ଯ୍ୟବନ୍ଦ ଆଦେଶ ଉପରେ 2013ରେ 6 ମାସ ପାଇଁ ସ୍ଥଗିତାଦେଶ ଦେଇଥିଲେ ।
ଏହାପରେ 2014, 2015, 2016, 2017 ଏବଂ 2018ରେ କ୍ରମାଗତ ଭାବେ କାର୍ଯ୍ୟବନ୍ଦ ଉପରେ ସ୍ଥଗିତାଦେଶ ଦିଆଯାଉଛି । ଏବେ ପୁଣି ଥରେ 2019ରେ କାର୍ଯ୍ୟବନ୍ଦ ଆଦେଶ ଉପରେ ଦୁଇ ବର୍ଷ ପାଇଁ ସ୍ଥଗିତାଦେଶ ଦିଆଯାଇଛି । ଏହି ସ୍ଥଗିତାଦେଶରେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ବିନା ଅନୁମୋଦନରେ ପ୍ରକଳ୍ପର ଜଳଭଣ୍ଡାର ଆଇନ ଅନୁଯାୟୀ ଦଖଲ କରାଯାଇପାରିବ ନାହିଁ । ଏହାସହ ଜନଶୁଣାଣି ପରେ ପ୍ରକଳ୍ପର ଡିଜାଇନ ପ୍ରସ୍ତୁତ କରିବାକୁ କୁହାଯାଇଛି ।
ବର୍ତ୍ତମାନ ସୁଦ୍ଧା ଓଡିଶାର ମାଲକାନଗିରି ଜିଲ୍ଲାରେ ଗୋଟିଏ ହେଲେ ଜନଶୁଣାଣି ହୋଇନଥିବା ବେଳେ ପ୍ରକଳ୍ପ ଶେଷ ହେବା ପରେ ଆଉ ଏହାର ଡିଜାଇନରେ ପରିବର୍ତ୍ତନ କିମ୍ବା କାର୍ଯ୍ୟକାରିତା ମାନଦଣ୍ଡରେ ଆଉ କିଛି ପରିବର୍ତ୍ତନ କରାଯାଇପାରିବ ନାହିଁ । ତେଣୁ ଏବେଠାରୁ ଏନେଇ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବାକୁ ନବୀନ ଦାବି ଜଣାଇଛନ୍ତି ।
ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ