ଭୁବନେଶ୍ବର: ରାଜ୍ୟରେ ବ୍ୟାପକ ହେଉଛି ମହାମାରୀ କୋରୋନା । ପ୍ରତିଦିନ ସଂକ୍ରମିତ ସଂଖ୍ୟାରେ ହେଉଛି ନୂଆ ରେକର୍ଡ । ତାଳଦେଇ ବଢୁଛି ମୃତ୍ୟୁ ସଂଖ୍ୟା । ଏଭଳି ସ୍ଥିତିରେ ଆକ୍ରାନ୍ତଙ୍କ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାପାଇଁ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଆରମ୍ଭ ହୋଇଥିବା ପ୍ଲାଜମା ଥେରାପିରେ ଏନଡିଆରଏଫ ଯବାନ ପ୍ଲାଜମା ଦାନ କରିବାକୁ ଆଗେଇ ଆସିଛନ୍ତି ।
ରବିବାର ଏନଡିଆରଏଫର 8 ଜଣ ଯବାନ ନିଜର ପ୍ଲାଜମା ଦାନ କରିବାକୁ କଟକ ଏସସିବି ପ୍ଲାଜମା ବ୍ୟାଙ୍କରେ ପହଞ୍ଚିଥିଲେ । ଯବାନଙ୍କ ଏଭଳି କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ ଯୋଗେ ପ୍ରଶଂସା କରିଛନ୍ତି । ଗୁରୁତର କୋରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ପ୍ଲାଜମା ଦାନ କରିବାକୁ ସେ ପ୍ରଶଂସା କରିଛନ୍ତି ।
ସୂଚନାନୁସାରେ, ପ୍ଲାଜମା ଦାନ କରିବାକୁ ଆସିଥିବା ସମସ୍ତ ଯବାନ ବାତ୍ୟା ଅମ୍ଫାନର ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିଲେ । ସେଠାରେ ସମସ୍ତେ କୋରୋନା ସଂକ୍ରମିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସମସ୍ତେ ଏହି ଭୂତାଣୁରୁ ସୁସ୍ଥ ହୋଇଛନ୍ତି । ସୁସ୍ଥ ହେବା ପରେ ଅନ୍ୟ ସଂକ୍ରମିତଙ୍କ ପାଇଁ ପ୍ଲାଜମା ଦାନ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଆହୁରି ମଧ୍ୟ କହିଛନ୍ତି ଯେ, କୋଭିଡ ମୁହଁରୁ ବର୍ତ୍ତିବା ପରେ ଅନ୍ୟମାନଙ୍କ ପୁନରୁଦ୍ଧାର ପାଇଁ ଏନଡିଆରଏଫ୍ ଯବାନଙ୍କ ଏଭଳି କାର୍ଯ୍ୟ ନିଶ୍ଚୟ ପ୍ରେରଣା ଯୋଗାଇବ ଏବଂ ମୂଲ୍ୟବାନ ଯବାନ ବଞ୍ଚାଇବାରେ ସଫଳ ହେବ ।
ପ୍ରକାଶ ଥାଉ କି, ଓଡିଶାରେ ପ୍ଲାଜମା ଥେରାଫି ସଫଳ ହେଉଛି । ମୋଟ 6 ଜଣ ଗୁରୁତର ସଂକ୍ରମିତଙ୍କୁ ପ୍ଲାଜମା ଥେରାପି ହୋଇଥିବା ବେଳେ ତନ୍ମଧ୍ୟରୁ 4 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କୁ ଆଉ ଅକ୍ସିଜେନ ସପୋର୍ଟ ମଧ୍ୟ ଦେବାକୁ ପଡୁନାହିଁ ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ