ଭୁବନେଶ୍ବର: ରାଜଧାନୀସ୍ଥିତ ରବୀନ୍ଦ୍ର ମଣ୍ଡପରେ ବରପୁତ୍ରଙ୍କ କାହାଣୀକୁ ନେଇ ନାଟକ ଉତ୍ସବ ଉଦଘାଟିତ ହୋଇଛି । ପ୍ରଥମ ସନ୍ଧ୍ୟାରେ 'ଶୂନ୍ୟ ପୁରୁଷ' ମଞ୍ଚସ୍ଥ ହୋଇଛି। ଶଙ୍କରପ୍ରସାଦ ତ୍ରିପାଠୀଙ୍କ ରଚିତ ଓ ମନୋଜ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ନାଟକ ସନ୍ଥକବି ଭୀମଭୋଇଙ୍କ ଜୀବନକୁ ନେଇ ପ୍ରସ୍ତୁତ ହୋଇଛି । ଜନ୍ମରୁ ଅନ୍ଧ ଓ ଗୋଟିଏ କନ୍ଧ ପରିବାରରେ ଲାଳନପାଳନ ହୋଇ ନିଜର ଦିବ୍ୟକାନ୍ତି ବଳରେ ସେ ଅନେକ ଧର୍ମ ଗ୍ରନ୍ଥ ରଚନା କରିଛନ୍ତି ।
ଓଡ଼ିଆ ସାହିତ୍ୟରେ ତାଙ୍କର ଅନେକ ଭଜନ ଓ କାବ୍ୟ ଏବେ ବି ଶ୍ରୋତା ଓ ପାଠକଙ୍କୁ ମତୁଆଲା କରୁଛି । ଭୀମଭୋଇଙ୍କ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଘଟଣାବଳୀକୁ ଶୂନ୍ୟ ପୁରୁଷ ନାଟକରେ ପରିକଳ୍ପନା କରାଯାଇଛି । ମଙ୍ଗଳବାର ଏହି ନାଟକ ଉତ୍ସବର ଦ୍ବିତୀୟ ସନ୍ଧ୍ୟା । ଏହି ଅବସରରେ ମଞ୍ଚସ୍ଥ ହେବ ନାଟକ 'ନିଷିଦ୍ଧ ନୀଳାଚଳ' । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ କାହାଣୀକୁ ନେଇ 'ନିଷିଦ୍ଧ ନୀଳାଚଳ' ପ୍ରସ୍ତୁତ ହୋଇଛି । ପଦ୍ମଶ୍ରୀ ରଜତ କୁମାର କର ଏହି ନାଟକର ରଚନା କରିଥିବାବେଳେ କୈଳାଶ ପାଣିଗ୍ରାହୀ ନିର୍ଦ୍ଦେଶନା ଦେବେ ।
ସେହିଭଳି ତୃତୀୟ ସନ୍ଧ୍ୟାରେ ନାଟ୍ୟକାର ରଣଜିତ ପଟ୍ଟନାୟକଙ୍କ ରଚିତ ଓ ଧୀରେନ୍ଦ୍ରନାଥ ମଲ୍ଲିକଙ୍କ ନିର୍ଦ୍ଦେଶିତ ଗଣକବି 'ବୈଷ୍ଣବ ପାଣି'ଙ୍କ ଜୀବନକାହାଣୀକୁ ନେଇ ନାଟକ ମଞ୍ଚସ୍ଥ ହେବ । ନାଟକ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ କାହାଣୀକୁ ନେଇ ନାଟକ 'କ୍ରାନ୍ତି ପୁରୁଷ' ପରିବେଷଣ କରାଯିବ । ଉଦ୍ଯାପନୀ ଦିବସ ଅର୍ଥାତ ଏପ୍ରିଲ ୨୯ ତାରିଖରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୀବନୀକୁ ନେଇ ଶାନ୍ତନୁ କୁମାର ରଥଙ୍କ ରଚିତ ଓ ଅନନ୍ତ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନାଟକ 'କବି ସମ୍ରାଟ' ମଞ୍ଚସ୍ଥ ହେବ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ