ଭୁବନେଶ୍ବର: ରାଜ୍ୟରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ନେଇ ସରକାରୀ ଦଳ ମୁଖ୍ୟ ସଚେତକ ଆଣିଥିବା ମୋସନ ଆଲୋଚନାର ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ । ୧୦୨ ବ୍ଲକରେ ଫସଲ ପ୍ରଭାବିତ ହୋଇଛି । ଜୁନ୍ ମାସରେ ପ୍ରକୃତ ବୃଷ୍ଟିପାତ ଠାରୁ ୧୬.୬ କମ୍ ବର୍ଷା ଥିବା ବେଳେ ଜୁଲାଇ ମାସରେ ୨୧.୩ ଓ ଅଗଷ୍ଟ ମାସରେ ୪୪.୭ ପ୍ରତିଶତ କମ ବର୍ଷା ହୋଇଛି । ବିଗତ ବର୍ଷ ତୁଳନାରେ ସେପ୍ଟେମ୍ବର ୩ ସୁଦ୍ଧା ୧ ଲକ୍ଷ ୧୯ ହଜାର ହେକ୍ଟର କମ ଜମିରେ ଚାଷ ହୋଇଛି । କମ୍ ବୃଷ୍ଟିପାତ ଯୋଗୁଁ ରାଜ୍ୟର ଜଳଭଣ୍ଡାର ଗୁଡିକରେ ଜଳ କମ୍ ରହିଛି।
ଜଳ ଭଣ୍ଡାରର ଗଚ୍ଛିତ ଥିବା ଜଳକୁ ପାନୀୟଜଳ ବ୍ୟବହାର ଉପରେ ପ୍ରାଥମିକତା ଦିଆଯିବ। ଜଳ ଭଣ୍ଡାରର ଗଚ୍ଛିତ ଥିବା ଜଳ ପାନୀୟଜଳର ଆବଶ୍ୟକତା ମେଣ୍ଟାଇବାକୁ ଥିବାରୁ ଚାଷର ଅବସ୍ଥା ଖରାପ ରହିଛି ବୋଲି ଉତ୍ତର ଦେଇଛନ୍ତି ରାଜସ୍ବ ମନ୍ତ୍ରୀ । ଏଥିପ୍ରତି ସରକାର ତୀକ୍ଷ୍ଣ ନଜର ରଖିଛନ୍ତି । ଫସଲ ରକ୍ଷା କରିବା ଯଦି ସମ୍ଭବ ନୁହେଁ ସେଠି ସରକାର ମରୁଡି ସଂକ୍ରାନ୍ତୀୟ ନିୟମ ଅନୁଯାୟୀ ପଦକ୍ଷେପ ନେବେ ।
ଅନାବୃଷ୍ଟି ଯୋଗୁଁ ଫସଲ କ୍ଷତି ସମ୍ପର୍କରେ ୧୫ଟି ଜିଲ୍ଲାର ନୋଡାଲ ଅଫିସର ରିପୋର୍ଟ ଦେଇଛନ୍ତି। ଯେଉଁଠି ଫସଲ ନଷ୍ଟ ହୋଇଛି, ସେଠି ଦ୍ବିତୀୟ ଫସଲ ପାଇଁ କିଟ ଦିଆଯାଇଛି। ଯେଉଁଠି ଜଳସେଚନ ଵ୍ୟଵସ୍ଥା ରହିଛି, ସେଠି ଜଳସେଚନ କରାଯାଉଛି। ସେପଟେ ସ୍ଥିତିର ଅନୁଧ୍ୟାନ ପାଇଁ ଗୃହ କମିଟି ଗଠନ କରିବା ପାଇଁ ବିରୋଧୀ ଦଳ ମୁଖ୍ୟ ସଚେତକଙ୍କ ଦାବି କରିଛନ୍ତି। ତେବେ ରାଜସ୍ବ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟି ବ୍ୟକ୍ତ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ମରୁଡି ଘୋଷଣା କରି ଚାଷୀଙ୍କୁ ସହାୟତା ଦେବା ପାଇଁ କଂଗ୍ରେସ ଦାବି କରିଛି । ମନ୍ତ୍ରୀଙ୍କ ଉତ୍ତର ଯୁକ୍ତିଯୁକ୍ତ ନୁହେଁ ବୋଲି କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି ।
ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ