ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀଉଦ୍ୟାନର ହେବ ନବକଳେବର । 610 ଏକର ଜଙ୍ଗଲ ସଂଯୋଗ ହୋଇ ପ୍ରାୟ ୧୧ଶହ ଏକର ପରିମିତି ହେବ । ପୂର୍ବ-ଭାରତ ସର୍ବବୃହତ ପ୍ରାଣୀ ଉଦ୍ୟାନ ନନ୍ଦନକାନନ, ଚନ୍ଦକା, ଡମପଡା ଅଭୟାରଣ୍ୟରେ ଥିବା ଚୁଡଙ୍ଗ ଓ କୃଷ୍ଣନଗର ସଂରକ୍ଷିତ ଜଙ୍ଗଲକୁ ପ୍ରାଣୀ ଉଦ୍ୟାନ ସହ ସଂଯୋଗ କରାଯିବ । ଏହା ପରେ ଏକ ବୃହତ୍ ପ୍ରାଣୀ ଉଦ୍ୟାନର ରୂପ ନେବ ନନ୍ଦନକାନନ ।
୪୩୭ ଏକର ପରିମିତି ଜମିରୁ ବୃଦ୍ଧି ପାଇ ୧ ହଜାର ୫୭ ଏକର ହେବ ନନ୍ଦନକାନନ । ଯଦ୍ବାରା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏକ ନୂଆ ପରିଚୟ ପାଇବା ସହ ପ୍ରାଣୀମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିବ । ଏଥିସହିତ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବ ବୋଲି ଆଶା ରଖିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ପୂର୍ବରୁ କେବଳ ଚନ୍ଦକା ଭିତରେ ସୀମିତ ଥିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ । 156 ପ୍ରଜାତିର 3538 ଜୀବଜନ୍ତୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ଏଥିସହିତ ନୂଆ କରି ନନ୍ଦନକାନନ ପରିସୀମା ଭିତରେ ଶହ ଶହ ଏକର ଜମି ସଂଯୋଗ କରାଯିବ । ଭୁବନେଶ୍ବର ଉପକଣ୍ଠରେ ୬୧୦ ଏକର ଜମି ସଂଯୋଗ ହେବ । ଏଥିସହ ସଂଯୋଗ ହୋଇଥିବା ନୂତନ ଜଙ୍ଗଲରେ ବିଭିନ୍ନ ପ୍ରଜାତିର ହରିଣ ଥିବାବେଳେ ସେମାନଙ୍କ ପାଇଁ ହରିଣ ପାର୍କ ନିର୍ମାଣ କରାଯିବ । ଚନ୍ଦକା, ଡମପଡା ଅଭୟାରଣ୍ୟରେ ବହୁ ପରିମାଣରେ ମୟୂର ଥିବାରୁ ସେମାନଙ୍କ ଲାଗି ସଫାରୀ କରାଯିବା ନେଇ ଯୋଜନା ରହିଛି ।
ସରକାରଙ୍କ ପକ୍ଷରୁ ମିଳିଥିବା ନୂତନ ଜଙ୍ଗଲ ସୀମାରେ ପ୍ରଥମତଃ ପାଚେରୀ ନିର୍ମାଣ କରାଯିବ । ଏଥିସହ ପର୍ଯ୍ୟଟକଙ୍କ ପାଇଁ ବୁଲିବାକୁ ସମସ୍ତ ସୁବିଧା ଯୋଗାଇ ଦିଆଯିବା ସହ ଜଙ୍ଗଲରେ ଟ୍ରାକିଙ୍ଗ ବ୍ୟବସ୍ଥା ହେବ । ନନ୍ଦନକାନନର ପ୍ରସ୍ଥାନ ପଥର ଦ୍ବାର ବଦଳିବ ଏବଂ ଏହାକୁ ଅଧିକ ଆକର୍ଷିତ କରାଯିବ ବୋଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନିର୍ଦ୍ଦେଶକ ଶଶୀ ପାଲ କହିଛନ୍ତି ।
ଅପରପକ୍ଷେ ନନ୍ଦନକାନନ ପରିସୀମା ବୃଦ୍ଧିକୁ ସ୍ବାଗତ କରିଛନ୍ତି ସ୍ଥାନୀୟ ଲୋକେ । ନନ୍ଦନକାନନ ଫୁଆଡରେ ବା ଯନ୍ତା ଭିତରେ ରହୁଥିବା ପଶୁମାନେ ଏବେ ଅବାଧରେ ନିର୍ଦ୍ବନ୍ଦରେ ବୁଲିପାରିବେ ।
ନନ୍ଦନକାନନର କଳେବର କରିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ବିଭିନ୍ନ ସମୟରେ ପ୍ରାଣୀ ମଡକ ନେଇ ଆସୁଥିବା ଅଭିଯୋଗ ନୂଆ ପରିସୀମା ବୃଦ୍ଧି ହେବା ପରେ ଯେପରି ପୁନରାବୃତ୍ତି ନହୁଏ, ସେ ନେଇ କର୍ତ୍ତୃପକ୍ଷ ଧ୍ୟାନ ଦେବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ