ଭୁବନେଶ୍ବର: ଭିମସାର ମେଡ଼ିକାଲରେ ଏଚଆଇଭି ରୋଗୀଙ୍କୁ ଅପରେସନ ଘଟଣାର ରିପୋର୍ଟ ଦୁଇ ଦିନ ମଧ୍ୟରେ ଆସିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି । ଏହି ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ବର୍ତ୍ତମାନ ଜିଲ୍ଲାପାଳଙ୍କ ଦ୍ବାରା ଘଟଣାର ଯାଞ୍ଚ କରାଯିବା ସହ ବିଭାଗୀୟ ତଦନ୍ତ କରାଯାଉଥିବା ସେ ପ୍ରକାଶ କରିଛନ୍ତି ।
ସୂଚନା ଅନୁସାରେ, ଗତ 3 ଦିନ ତଳେ ବୁର୍ଲା ମେଡିକାଲର ଦନ୍ତ ବିଭାଗରେ ଏଚ୍ଆଇଭି ସଂକ୍ରମିତ ଉପକରଣରେ 12 ଜଣ ରୋଗୀଙ୍କର ଅସ୍ତ୍ରୋପଚାର କରାଯାଇଥିବା ଅଭିଯୋଗ ହୋଇଛି । ଏହା ବ୍ୟତୀତ ଏଚ୍ଆଇଭି ସଂକ୍ରମିତ ରୋଗୀଙ୍କ ଅସ୍ତ୍ରୋପଚାର ପୂର୍ବରୁ ଓ ପରେ ଯେଉଁ ସବୁ ଗାଇଡ଼ଲାଇନ ଅନୁକରଣ କରିବା କଥା ତାହା କରାଯାଇ ନଥିବା ଅଭିଯୋଗ ହୋଇଥିଲା । ରୋଗୀ ଆଟେଣ୍ଡାଣ୍ଟଙ୍କୁ ମାଡ ମାରିବା ଘଟଣାକୁ ମଧ୍ୟ ଅନୁଧ୍ୟାନ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ