ଭୁବନେଶ୍ବର: ଧାନର ଏମ୍ଏସ୍ପି(ସର୍ବନିମ୍ନ ସହାୟକ ରାଶି) ବୃଦ୍ଧିକୁ ନେଇ ରାଜ୍ୟ ରାଜନୀତିରେ ତୁତୁ ମେଁମେଁ । ଧାନର ଏମଏସପି ମାତ୍ର 65 ଟଙ୍କା ବୃଦ୍ଧି ହୋଇଥିବାରୁ ଉଭୟ ବିଜେଡି ଓ କଂଗ୍ରେସ କେନ୍ଦ୍ରର ବିଜେପି ସରକାରକୁ ଘେରିଛନ୍ତି । କେନ୍ଦ୍ର ସରକାର ନିର୍ବାଚନ ପରେ ଚାଷୀଙ୍କୁ ଭୁଲିଯାଇଥିବା ଦର୍ଶାଇ ଶାଣିତ ଆକ୍ରମଣ କରିଛନ୍ତି ଉଭୟ ଦଳ । ସେପଟେ ଏହା ଉପରେ କୃଷି ଉତ୍ପାଦନ ଖର୍ଚ୍ଚ ଓ ମୂଲ୍ୟ ନିର୍ଦ୍ଧାରଣ ଆୟୋଗ (ସିଏସିପି) ହିଁ ନିଷ୍ପତ୍ତି ନେଇଥାଆନ୍ତି କହି ବିଜେପି ନିଜ ଉପରୁ ଦୋଷ ଛଡାଇଛି ।
ଗତବର୍ଷ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି କେନ୍ଦ୍ର କ୍ୱିଣ୍ଟାଲ ପିଛା ଧାନର ଏମ୍ଏସ୍ପି ୨୦୦ ଟଙ୍କା ବୃଦ୍ଧି କରିଥିଲା । ତେବେ ନିର୍ବାଚନ ସରିବା ପରେ ମାତ୍ର 65 ଟଙ୍କା ବୃଦ୍ଧି ପାଇଥିବାରୁ ଏହା ଚାଷୀଙ୍କ ପ୍ରତି ଅନ୍ୟାୟ ବୋଲି କୁହାଯାଉଛି । ଏହାସହ ଓଡିଶାର ଦାବି ମୁତାବକ ଧାନର ଏମ୍ଏସ୍ପି ୨୯୩୦ ଟଙ୍କା କରାଯାଇ ନ ଥିବାରୁ ଉଭୟ ବିଜେଡି ଓ କଂଗ୍ରେସ ଏହାକୁ ବିରୋଧ କରିଛନ୍ତି ।
ଏନ୍ଡିଏ ସରକାର ସ୍ୱାମୀନାଥନ୍ କମିଟି ସୁପାରିସ୍ ଆଧାରରେ ଧାନ ଚାଷରେ ହେଉଥିବା ଖର୍ଚ୍ଚର ଦେଢଗୁଣା ମୂଲ୍ୟ ବୃଦ୍ଧି କରିବା ପାଇଁ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ତାହା କାର୍ଯ୍ୟକାରୀ କଲେ ନାହିଁ ଦର୍ଶାଇ କେନ୍ଦ୍ରକୁ ଟାର୍ଗେଟ କରିଛି ବିଜେଡି । ଏଥିସହ ପ୍ରତି କ୍ୱିଣ୍ଟାଲ ଧାନରେ ଚାଷୀର ସମୁଦାୟ ୨୩୪୪ ଟଙ୍କା ଖର୍ଚ୍ଚ ହେଉଛି ବୋଲି ଆକଳନ କରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବାକୁ ଦଳମତ ନିର୍ବିଶେଷରେ ବିଧାନସଭାରେ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହାକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା । କିନ୍ତୁ ତାହାକୁ କେନ୍ଦ୍ର ସରକାର ଗ୍ରହଣ କଲେନି ବୋଲି ବିଜେଡି କହିଛି ।
ସେହିପରି କଂଗ୍ରେସ ମଧ୍ୟ ଏମ୍ଏସ୍ପିକୁ ନେଇ ବିଜେପି ଉପରେ ବର୍ଷିଛି । ଯେହେତୁ ଉଭୟ ବିଜେପି ଓ ବିଜେଡି ଭିତରେ ବୁଝାମଣା ରହିଛି ଏପ୍ରସଙ୍ଗରେ ଓଡିଶା ସରକାର ଏବେ ଚୁପ ରହିବାକୁ ବାଧ୍ୟ ହେବେ ବୋଲି କଂଗ୍ରେସ କହିଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ଏମ୍ଏସ୍ପି କୃଷି ଉତ୍ପାଦନ କ୍ଷେତ୍ରରେ ହେଉଥିବା ଖର୍ଚ୍ଚର ଦେଢ ଗୁଣ ଧାର୍ଯ୍ୟ କରିବାକୁ ଘୋଷଣା କରିଥିଲେ । କିନ୍ତୁ ଆଜି ଘୋଷଣା କରାଯାଇଥିବା ଏମଏସ୍ପି ଚାଷୀଙ୍କୁ ପ୍ରତାରଣା କରିବା ଭଳି ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।
ସେପଟେ ଏହାକୁ ଖଣ୍ଡନ କରିଛି ବିଜେପି । କୃଷି ଉତ୍ପାଦନ ଖର୍ଚ୍ଚ ଓ ମୂଲ୍ୟ ନିର୍ଦ୍ଧାରଣ ଆୟୋଗ (ସିଏସିପି) ହିଁ ନିଷ୍ପତ୍ତି ନେଇଥାଆନ୍ତି ବୋଲି ଦଳ କହିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ