ଭୁବନେଶ୍ବର: ଦିନକୁ ଦିନ ଦେଶରେ କାୟା ମେଲାଉଛି କୋରୋନା । ଦୁଇଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 90 ଡେଇଁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି ।
ଏଣିକି ପଞ୍ଚାୟତସ୍ତରରେ ସରପଞ୍ଚଙ୍କ ସମେତ ଅନ୍ୟ କିଛି ଅଧିକାରୀ ଓ ପ୍ରତିନିଧି ସ୍ଥାନୀୟ ଅଞ୍ଚଳରେ ରଖିବେ ନଜର । ବିଦେଶ ଫେରନ୍ତା କିମ୍ବା କୋରୋନା ପ୍ରଭାବିତ ଅଞ୍ଚଳରୁ ଫେରିଥିବା ବ୍ୟକ୍ତି ବାବଦରେ ଖବର ଦେବେ । ଫଳରେ ସଂକ୍ରମିତଙ୍କ ଚିକିତ୍ସା ସମ୍ଭବ ହୋଇ ପାରିବ ଓ ଖବର ରଖିହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏମଏସଏମଇ ସଚିବ ହେମନ୍ତ ଶର୍ମା ।
ରାଜ୍ୟରେ ୧୪୧ ଜଣ ଅବଜରଭେସନରେ ଅଛନ୍ତି । ହୋମ୍ ଆଇସୋଲେସନ ଏହି ରୋଗର ସବୁଠାରୁ ବଡ ପ୍ରତିକାର । ଏହାଦ୍ବାରା ରୋଗ ଉପରେ ନିୟନ୍ତ୍ରଣ ରଖାଯାଇ ପାରିବ । ପ୍ରତି ଜିଲ୍ଲାପାଳଙ୍କ ସହ ଆଲୋଚନା ସରିଛି । ଜିଲ୍ଲାର ପ୍ରତି ସ୍ବାସ୍ଥ୍ୟ କେନ୍ଦ୍ରରେ ଯଥେଷ୍ଟ ପରିମାଣର ଆନୁସଙ୍ଗିକ ବ୍ୟବସ୍ଥା ସହିତ ସ୍ବଚ୍ଛତା ଓ ପରିମଳ ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି ।
କୋରୋନା ଭାଇରସ ଯୋଗୁଁ ବିଶ୍ବର 100ରୁ ଊର୍ଦ୍ଧ୍ବ ଦେଶ ପ୍ରଭାବିତ । ଚୀନରେ ମୃତ୍ୟୁର ତାଣ୍ଡବ ରଚିଥିବା ଏହି କୋରୋନା ଭାଇରସକୁ ବିଶ୍ବ ମହାମାରୀ ରୂପେ ଘୋଷଣା କରାଯାଇଛି । ଏପରିକି ଜାତୀୟ ସ୍ତରରେ ଏହାକୁ ବଡ ବିପର୍ଯ୍ୟୟ ଘୋଷଣା କରାଯାଇଛି । ଆବଶ୍ୟକ ପଡିଲେ ଷ୍ଟେଟ୍ ଡିଜାଷ୍ଟର ଫଣ୍ଡରୁ ଟଙ୍କା ଖର୍ଚ୍ଚ କରାଯାଇପାରିବ । ଏହା ବାଦ ମାସ୍କ, ସାନିଟାଇଜର ଓ ହ୍ୟାଣ୍ଡ ଗ୍ଲୋବ୍ସ ଅତ୍ୟାବଶ୍ୟକୀୟ ସାମଗ୍ରୀରେ ସାମିଲ ହୋଇଛି । ଫଳରେ ଏହାର କଳା ବଜାରୀ ସୂଚନା ମିଳିଲେ କଡା କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ଟେକ୍ନିକାଲ ଆଡଭାଇଜରି କମିଟି ଖୁବ୍ ଶୀଘ୍ର ଗଠନ କରାଯିବ । ଏଥିରେ ଡାକ୍ତର, ବୈଜ୍ଞାନିକ ରହିବେ ଓ କୋରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବେ । ଭୁବନେଶ୍ବର ଓ ଝାରସୁଗୁଡା ବିମାନ ବନ୍ଦରରେ ସମସ୍ତ ଯାତ୍ରୀଙ୍କ ଡାଟା ସଂଗ୍ରହ କରାଯିବ । ବିଦେଶ କିମ୍ବା ଆନ୍ତରାଜ୍ୟ ବିମାନଯାତ୍ରା କରିଥିବା ଯାତ୍ରୀଙ୍କ ସମସ୍ତ ତଥ୍ୟ ଓ ଠିକଣା ସଂଗ୍ରହ ବାଧ୍ୟତା ମୂଳକ । ଆସନ୍ତା ସୋମବାର ଠାରୁ ଏହା କରାଯିବ । ସ୍ଥାନୀୟ ନଗର ସଂଘ କର୍ମକର୍ତ୍ତାଙ୍କୁ ସ୍ଥାନୀୟ ବାସିନ୍ଦାଙ୍କ ଖବର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି MSME ସଚିବ ହେମନ୍ତ ଶର୍ମା ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ