ଭୁବନେଶ୍ବର: ବିବାଦୀୟ ଫିଲ୍ମ ପୋଷ୍ଟରକୁ ନେଇ ହରଡ଼ ଘଣାରେ ଅଭିନେତା ପପୁ ପମପମ୍। କହ୍ନେଇ ସାଜି ମହିଳାଙ୍କୁ ଆଣ୍ଠେଇବା ହୋଇପାରେ ମହଙ୍ଗା । ଏହି ବିବାଦୀୟ ପୋଷ୍ଟରକୁ ନେଇ ଥାନାରେ ମାମଲା ରୁଜୁ କରିଛନ୍ତି ମହିଳା । ପୋଷ୍ଟରକୁ ନେଇ କଡା ସମାଲୋଚନା କରିଛନ୍ତି ରାଜ୍ୟ ମହିଳା କମିଶନର।
ମହିଳାଙ୍କୁ ଏପରି ଚିତ୍ରିତ କରିବା ମହିଳାଙ୍କ ପ୍ରତି ଅସଙ୍ଗତ । ଯେଉଁଠି ନାରିକୁ ସମ୍ମାନ ଦିଆଯାଉନି ତାହା ସୁସ୍ଥ ସମାଜ ନୁହେଁ। ଫିଲ୍ମରେ ଏଭଳି ଚିତ୍ରଣଙ୍କୁ ନେଇ ବ୍ୟଥିତ ଥିବା କହିଛନ୍ତି ନୂଆକରି ଦାୟିତ୍ବ ନେଇଥିବା ମହିଳା କମିଶନର ମିନତୀ ବେହେରା । ମହିଳା କମିଶନ ଆୟୋଗର ପରିଧି ମଧ୍ୟରେ ଯାହା ଆସୁଛି ସେନେଇ କାର୍ଯାନୁଷ୍ଠାନ ହେବ ବୋଲି ସେ କହିଛନ୍ତି । ଯେହେତୁ କମିଶନରେଟ ପୋଲିସ ଏହାର ତଦନ୍ତ କରୁଛି ତେଣୁ ପୋଲିସର ନିଷ୍ପତିକୁ ଅପେକ୍ଷା ରହିଛି । କମିସନରେଟ ପୋଲିସର ନିଷ୍ପତି ପରେ ମହିଳା କମିଶନ କାର୍ଯ୍ୟାନୁଷ୍ଠାନ ନେବ ବୋଲି ମିନତୀ ପ୍ରକାଶ କରିଛନ୍ତି ।
ଅନ୍ୟପଟେ ଖୁବଶୀଘ୍ର ପପୁ ପମପମ ଓ ନିର୍ଦେଶକ ସହ ପ୍ରଯୋଜକଙ୍କୁ ନୋଟିସ କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ମିଳିଛି। ଚଳଚ୍ଚିତ୍ରରେ ପପୁ ପମପମ କହ୍ନେୟା ଚରିତ୍ରରେ ଅଭିନୟ କରିବା କରିଛନ୍ତି । ଯେଉଁଥିରେ କିଛି ଯୁବତୀଙ୍କ ବେକରେ ଦଉଡି ଲଗାଇ ପପୁ ଟାଣୁଥିବାର ଦୃଶ୍ୟ ରହିଛି । ଏହି ଫିଲ୍ମ ପୋଷ୍ଟର ସାମ୍ନାକୁ ଆସିଲା ପରେ ଏହାକୁ ନେଇ ସମାଜ ସେବୀ ଲିଙ୍କନ ସୁବୁଦ୍ଧି ମହିଳାଥାନାର ଦ୍ବାରସ୍ଥ ହୋଇ ଅଭିଯୋଗ କରିଥିଲେ । କମିସନରେଟ ପୋଲିସ ଅଭିଯୋଗକୁ ଆଧାର କରି ସେକ୍ସନ 6ରେ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ