ଭୁବନେଶ୍ବର: ଝାରପଡା ହାଟକୁ ବିଏମସି(BMC) ଉଚ୍ଛେଦ କରିବା ପରେ ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ସେଠାରେ ପହଞ୍ଚି କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଭେଟିଛନ୍ତି । କ୍ଷତିଗ୍ରସ୍ତଙ୍କ ସହ କଥା ହେବା ପରେ ବିଏମସି ଉପରେ ବର୍ଷିଛନ୍ତି ଅପରାଜିତା । ସେ ଏହି ଉଚ୍ଛେଦକୁ ବିନାଶ ବୋଲି କହିଛନ୍ତି । ବିକାଶ ନୁହେଁ ବିନାଶରୁ ଇନିଂସ ଆରମ୍ଭ କରିଛି ଭୁବନେଶ୍ବର ମହାନଗର ନିଗମ । ଆଗେ ଥଇଥାନ କରନ୍ତୁ ତା'ପରେ ବିନାଶ କରନ୍ତୁ ବୋଲି ସାଂସଦ କହିଛନ୍ତି ।
ସାଂସଦ ଅପରାଜିତା ନିଜେ ବିଏମସି କମିଶନର ଦାୟିତ୍ବରେ ଥିବା ସମୟରେ ଉଚ୍ଛେଦ କାର୍ଯ୍ୟ ସମ୍ପର୍କରେ କହିଛନ୍ତି । ‘‘ତାଙ୍କ ସମୟରେ ଲୋକଙ୍କୁ ଥଇଥାନ ପରେ ଉଚ୍ଛେଦ କରାଯାଉଥିଲା । ହେଲେ ମୁଁ ଭୁବନେଶ୍ବରରେ ଅନୁପସ୍ଥିତ ଥିବା ସମୟରେ ଝାରପଡା ହାଟ ଭଙ୍ଗା ଯାଇଛି । ମୁଁ ଏଠାକାର ସାଂସଦ ହୋଇଥିବା ସତ୍ତ୍ବେ ମଧ୍ୟ ମୋ ସହ ଏହି ଉଚ୍ଛେଦ ନେଇ କୌଣସି ପ୍ରକାର ଆଲୋଚନା ହୋଇନାହିଁ ବୋଲି ସାଂସଦ ଅପରାଜିତ କହିଛନ୍ତି ଏବଂ ସେ ସମସ୍ତଙ୍କ ଅଧିକାରକୁ ସମ୍ମାନ ଦିଅନ୍ତି ତେଣୁ ଅନ୍ୟମାନେ ମଧ୍ୟ ତାଙ୍କ ଅଧିକାରକୁ ସମ୍ମାନ ଦେବା ଦରକାର’’ ବୋଲି ଅପରାଜିତା ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ବିକାଶ କାର୍ଯ୍ୟକୁ ବିରୋଧ କରୁନାହୁଁ । ହେଲେ ଥଇଥାନ ପରେ ହିଁ ଏହି କାର୍ଯ୍ୟ କରାଯାଉ ।
ଏଥିସହ ସେ ଭୁବନେଶ୍ବର ମହାନଗର ନିଗମକୁ ଏକ ଚିଠି ମଧ୍ୟ ଲେଖିଛନ୍ତି । ଯେଉଁଥିରେ ସାଂସଦ ୩ଟି ଦାବି ରଖିଛନ୍ତି । ପ୍ରଥମତଃ ୭ ଦିନ ଭିତରେ କ୍ଷତିଗ୍ରସ୍ତଙ୍କୁ ବ୍ୟବସାୟ ହେଲା ଭଳି ଜାଗା ମିଳୁ । ଦ୍ବିତୀୟରେ, ମାର୍କେଟ କମ୍ପ୍ଲେକ୍ସ ଯଦି ଏଠାରେ କରାଯିବ ତେବେ କ୍ଷତିଗ୍ରସ୍ତ ହୋଇଥିବା 430 ଜଣ ବ୍ୟବସାୟୀଙ୍କୁ ଅଗ୍ରାଧିକାର ଦିଆଯାଉ ଏବଂ ଶେଷରେ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଉ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ