ଭୁବନେଶ୍ବର: ତ୍ୟାଗ ଆଉ ତପସ୍ୟାର ପ୍ରତୀକ ମାଆ । ଏହି ଦୁଇ ଶବ୍ଦରେ ହିଁ ସାରା ଦୁନିଆ ଥାଏ ।ମା କେବଳ ଶବ୍ଦ କି ସମ୍ବୋଧନ ନୁହେଁ ସେ ଆମ ଜୀବନ ନାଆର ନାଉରୀ । ଯାହା ବିନା ଜୀବନ ଅସମ୍ଭବ । ସ୍ନେହ ପ୍ରେମ ମମତା ଆଉ ବିଶ୍ବାସର ଭଣ୍ଡାର ସିଏ । ତା ପାଇଁ ଦିନଟିଏ । ଆଜି ବିଶ୍ଵ ମାତୃତ୍ବ ଦିବସରେ ମହାମାରୀ କୋରୋନା ସମୟରେ ସବୁ ଜନନୀ ଯୋଦ୍ଧାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ।
ସେହି ମା ମାନଙ୍କ ମଧ୍ୟରୁ ଆଜି କୋରୋନା କାଳରେ ଆମ ସୁରକ୍ଷା ପାଇଁ ଅନେକ ମା ତାଙ୍କ ମମତାକୁ ଛାତିରେ ଚାପି ଦେଇଛନ୍ତି । ଆଉ ନିଜ ଛୁଆକୁ ପର କରି ଅନ୍ୟର ଜୀବନ ରକ୍ଷାରେ ବ୍ୟସ୍ତ ରହିଛନ୍ତି । ଆଉ ଆମ ସହ ସମାଜର ଢାଲ ସାଜି ନିଜ କର୍ତ୍ତବ୍ୟ ଆଗରେ ସବୁ କିଛି ତୁଚ୍ଛ କରିଦେଇଛନ୍ତି ।
ସେବା ପାଇଁ ଉତ୍ସର୍ଗୀକୃତ ଭାବକୁ ନେଇ କର୍ତ୍ତବ୍ୟ ଆଗରେ ମମତାକୁ ଅନ୍ତରର କୋହରେ ଚାପି ଦେଇଛନ୍ତି ମା । ଆଉ ମହାମାରୀର କରାଳ ରୂପ ଆଗରେ ସେ ନାଚାର । ଆମେ କହୁଛୁ କ୍ୟାପିଟାଲ ହସ୍ପିଟାଲର ନର୍ସ ହରପ୍ରିୟା ମହାପାତ୍ର ଏବଂ ମହିଳା ପୋଲିସ ଷ୍ଟେସନ ଆଇଆଇସି ବନିତା ମହାରଣାଙ୍କ କଥା ।
ନିଜ ପିଲା ଆଉ ପରିବାରକୁ ଛାଡି ଦିନରାତି ସେବା କରିଚାଲିଛନ୍ତି ଏମାନେ । ଘରକୁ ଯାଉଛନ୍ତି ସତ । କିନ୍ତୁ ନିଜ ଛୁଆକୁ ନା ଛୁଇଁପାରୁଛନ୍ତି ନା ଟିକେ କୁଣ୍ଢେଇ ପାରୁଛନ୍ତି । ଦୂରରୁ ରହି ବାସ୍ ଆଖି ପୁରେଇ ଦେଖି ମନ ପୁରେଇ ଦେବା ସହ ମମତାର ମାତୃତ୍ଵ ଆଗରେ ବାହୁନି କାନ୍ଦୁଛନ୍ତି ।
ଆଉ ସମ୍ମୁଖ ଯୋଦ୍ଧା ଭାବେ ନିଜର କର୍ତ୍ତବ୍ୟ କରି ସେବା ଆଗରେ ନିଜ ପିଲା ପ୍ରତି ଥିବା ମାର କର୍ତ୍ତବ୍ୟକୁ ଭୁଲିଯାନ୍ତି । ସେହି ମମତାମୟୀ ଜନନୀ ଯୋଦ୍ଧାଙ୍କୁ ମାତୃ ଦିବସରେ ସାଲ୍ୟୁଟ। ସେହିପରି ଆଉ ଜଣେ ମା ହେଉଛନ୍ତି ମହିଳା ଥାନା ଆଇଆଇସି ବନିତା ମହାରଣା । ପୋଲିସ ଚାକିରୀରେ ଆସିବା ଦିନଠୁ ଲୋକଙ୍କ ସୁରକ୍ଷା ପାଇଁ ପଣ କରିଛନ୍ତି।
ଖରା ହେଉ ଅବା ବର୍ଷା ମହାମାରୀର ଦ୍ବିତୀୟ ଲହରରେ ନିଜ ସନ୍ତାନ ପ୍ରତି ଥିବା କର୍ତ୍ତବ୍ୟକୁ ଭୁଲି ନିଜକୁ ଲୋକଙ୍କ ସେବାରେ ସର୍ମପଣ କରିଛନ୍ତି। ଆଉ ମହାମାରୀ ସମୟରେ ଲୋକଙ୍କୁ ସଚେତନତା କରିବା ସହ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରିଆସୁଛନ୍ତି ।
ଅନ୍ୟପଟେ ପରିସ୍ଥିତି ଯାହାବି ହେଉ ସହରକୁ ସଫା ରଖିବା ସହ ଅନେକ ସନ୍ତାନର ଜୀବନକୁ ସ୍ବଛତାରେ ଭରି ଦେଉଛନ୍ତି ସଫେଇ କର୍ମଚାରୀ ସୁଷମା ନାୟକ । ସୁଷମା ନାୟକ ସକାଳ ହେଲେ ରାସ୍ତା ହସ୍ପିଟାଲ ସଫା କରନ୍ତି । ଆଉ ଅନେକ ଅଳିଆ ଆବର୍ଜନା ସଫା କରି ଆମକୁ ସୁରକ୍ଷିତ ରଖନ୍ତି । ସେହିପରି ଆଉ ଜଣେ ମା’ ଯିଏ ଏକ ସଡକ ଦୁର୍ଘଟଣାରେ ନିଜର ଏକମାତ୍ର ସନ୍ତାନ ହରାଇ ହଜାର ହଜାର ପିଲାଙ୍କ ଭବିଷ୍ୟତ ଗଢୁଛନ୍ତି । ସେମାନଙ୍କୁ ନିଜ ପିଲା ପରି ଆପଣାଇ ପାଠ ପଢାଇ ସେମାନଙ୍କୁ ଉଜ୍ବଳ ଭବିଷ୍ୟତ ପାଇଁ ପ୍ରସ୍ତୁତ କରୁଛନ୍ତି। ପିଲାଙ୍କ ସହ ପିଲା ହୋଇ କେତେବେଳେ ପାଠ ତ ଆଉ କେତେବେଳ ସେମାନଙ୍କୁ ନାଚଗୀତ ଶିଖାଉଛନ୍ତି ଶିକ୍ଷୟତ୍ରୀ ଅମୀୟଵାଲା ପରିଡା । ଆଜି ବିଶ୍ଵ ମାତୃ ଦିବସରେ ସବୁ ଜନନୀ ଯୋଦ୍ଧାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ