ହାଇଦ୍ରାବାଦ: କୋରୋନା ଭାଇରସ ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ ଘୋଷଣା ହୋଇଛି । ଏଥିପାଇଁ ସମସ୍ତ ଦୋକାନ ବଜାର ବନ୍ଦ ଥିବାବେଳେ ଦିନ ମଜୁରିଆଙ୍କୁ କାମ ମିଳୁନାହିଁ । ଫଳରେ ଅନେକ ଜାଗାରେ ଗରିବ, ଅସହାୟ ଓ ନିରାଶ୍ରୟ ଲୋକ ଖାଦ୍ୟ ନପାଇ ଭୋକିଲା ରହିଛନ୍ତି । ତେବେ ଏମାନଙ୍କ ପାଇଁ ପୂର୍ବତଟ ରେଳବାଇ ନିଜ ଉଦ୍ୟମରେ ଖାଦ୍ୟ ବାଣ୍ଟିଛି । 10 ଦିନରେ ପୂର୍ବତଟ ରେଳବାଇ ପକ୍ଷରୁ 23 ହଜାରରୁ ଅଧିକ ଭୋକିଲା ଲୋକଙ୍କ ଭୋକ ମେଣ୍ଟାଯାଇଛି ।
ଏଥିପାଇଁ ପୂର୍ବତଟ ରେଳବାଇ ଅଧୀନରେ ଥିବା ଷ୍ଟେସନରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଆରପିଏଫ ପକ୍ଷରୁ 4318 ଓ ଏନଜିଓ ପକ୍ଷରୁ 2287ଟି ମିଲ ବଣ୍ଟନ କରାଯାଇଛି । ରେଳ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁସାରେ ପୂର୍ବତଟ ରେଳବାଇ ଅଧୀନରେ ଥିବା ସମସ୍ତ ରେଲୱେ ଷ୍ଟେସନରେ ଏହି ଖାଦ୍ୟ ବଣ୍ଟାଯାଇଥିଲା । ଭାରତୀୟ ରେଳବାଇର କ୍ୟାଟେରିଂ ଓ ଟୁରିଜିମ କର୍ପୋରେସନ(ଆଇଆରସିଟିସି) ଦ୍ବାରା ନିଜର ସମସ୍ତ ଗୁରୁତ୍ବପୂର୍ଣ୍ଣ ଷ୍ଟେସନରେ ପୂର୍ବତଟ ରେଳବାଇ ପେପର ପ୍ଲେଟରେ ଅନେକ ଲୋକଙ୍କୁ ଖାଦ୍ୟ ବାଣ୍ଟିଛି ।
ବିଶାଳ ଆକାରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶହ ଶହ ଲୋକଙ୍କୁ ଏକାଥରେ ଖାଇବା ବଣ୍ଟାଯାଇଥିଲା । ଖୋର୍ଦ୍ଧା ରୋଡ ଏବଂ ବିଶାଖାପାଟନମ ଫୁଡ କୋର୍ଟରେ ଏହାର ମୂଳ ରନ୍ଧା ସେଣ୍ଟର ଥିଲା । ଏହି 2ଟି ଜାଗାରେ ଖାଦ୍ୟ ରନ୍ଧା ହୋଇ ଚାରିଆଡେ ବଣ୍ଟାଯାଇଛି । କେବଳ ଖୋର୍ଦ୍ଧାରେ ପ୍ରାୟ 16,400 ମିଲ ତିଆରି ହୋଇଛି ।
ପୂର୍ବତଟ ରେଳବାଇ ଅଧୀନରେ ଥିବା ସମସ୍ତ ଏଜେନ୍ସି, ଆରପିଏଫ, ସ୍ବେଚ୍ଛାସେବୀ ସଙ୍ଗଠନ, ରେଳବାଇ କର୍ମଚାରୀ ଏହି ମହତ କାର୍ଯ୍ୟରେ ଭାଗ ନେଇଛନ୍ତି । ସବୁକ୍ଷେତ୍ରର ଲୋକଙ୍କ ଅନୁସାରେ ଖାଦ୍ୟ ପ୍ରସ୍ତୁତ ହୋଇଥିଲା । ସାଉଥ ଲୋକଙ୍କ ପାଇଁ ଲେମ୍ବୁ ଭାତଠାରୁ ପୂର୍ବାଞ୍ଚଳ ଲୋକଙ୍କ ପାଇଁ ଖିଚଡି ଚୋଖା ଏବଂ ଉତ୍ତରାଞ୍ଚଳ ଲୋକଙ୍କ ପାଇଁ କଡି ଚାୱଲ ପ୍ରସ୍ତୁତ କରାଯାଇଥିଲା ।
ଲକଡାଉନ ଘୋଷଣାକୁ ଦୃଷ୍ଟିକୁ ରଖି ଆଇଆରସିଟିସି ବିଭିନ୍ନ ଲୋକଙ୍କ ସ୍ବାଦ ଅନୁସାରେ ବିଭିନ୍ନ ପ୍ରକାର ଖାଦ୍ୟ ତିଆରି କରିଥିଲା । ମାର୍ଚ୍ଚ 26ରେ ପୁରୀ ରେଲୱେ ଷ୍ଟେସନରେ 250 ମିଲ ସହ ଏହି ସେବା ଆରମ୍ଭ ହୋଇଥିଲା । ଏହାସହ ମାର୍ଚ୍ଚ 27ରେ କଟକରେ 200 ମିଲ ସହ ଏପ୍ରିଲ 6 ଯାଏଁ ଆଇଆରସିଟିସି ପ୍ରାୟ 16 ହଜାର 400 ମିଲ ବାଣ୍ଟିଥିଲା ।
ରେଳବାଇର ଆରପିଏଫ ସହ ମାରୱାଡି ଯୁବା ମୋର୍ଚ୍ଚା, କୁମୁଦ ପାହାଡ ସୁରକ୍ଷା ସମିତି ଭଳି ସ୍ବେଚ୍ଛାସେବୀ ସଙ୍ଗଠନ ମଧ୍ୟ ଏହି କାମରେ ସାହାଯ୍ୟ କରିଥିଲେ । ସମ୍ବଲପୁର, ଟିଟିଲାଗଡ, ବଲାଙ୍ଗୀର ଷ୍ଟେସନରେ 729ଟି ମିଲ ବଣ୍ଟାଯାଇଥିଲା । ସେହିପରି ଭୁବନେଶ୍ବର, କଟକ, ପୁରୀ, ବ୍ରହ୍ମପୁର, ପାରାଦ୍ବୀପ, ଖୋର୍ଦ୍ଧା ରୋଡ, ବିଶାଖାପାଟନମ ଓ ବିଜୟନଗରମ ପ୍ରଭୃତି ଷ୍ଟେସନରେ ଗରିବ ଓ ନିରାଶ୍ରୟାଙ୍କୁ ଖାଦ୍ୟ ପୁଡିଆ ବଣ୍ଟାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ