ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି । ଶୂନ୍ୟକାଳରେ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ସରକାରଙ୍କୁ ଘେରିବା ସହ CBI ତଦନ୍ତ ଦାବି କରିଥିଲେ । ସମସ୍ତ ବିଧାୟକଙ୍କୁ ଶୁଣିବା ପରେ ବାଚସ୍ପତି ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ଗୃହ କାର୍ଯ୍ୟ ଶେଷ ପୂର୍ବରୁ ବିବୃତ୍ତି ରଖିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।
ଶୂନ୍ୟକାଳ ଆରମ୍ଭ ହେବା ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଗୃହରେ ବିଜେବି ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ସରକାରଙ୍କୁ ଭତ୍ସର୍ନା କରିଥିଲେ । ଛାତ୍ରୀଙ୍କ ମୃତ୍ୟୁରେ ଉଦବେଗ ପ୍ରକାଶ କରିଥିଲେ । ବିରୋଧୀ ଦଳ ନେତା ବିଷ୍ଣୁ ସେଠୀ ହଷ୍ଟେଲରେ ରାଗିଂ ସମସ୍ୟା ଥିଲା ବୋଲି କହିବା ସହ ଏବେ ଏହା ଚିନ୍ତାର ବିଷୟ । ବିଧାନସଭା ସଦସ୍ୟମାନଙ୍କ ପିଲା ବି କଲେଜରେ ପଢୁଛନ୍ତି କେଉଁଠି କେତେବେଳେ ବି ଆମ ପିଲା ଏପରି ରାଗିଂର ଶିକାର ହେଉଥିବେ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ଜଣେ ବାପା ହିସାବରେ ଯଦି ମୋ ଝିଅ ଏଭଳି ରାଗିଂର ଶିକାର ହୁଏ ମୁଁ କିପରି ସହି ପାରିବି ବୋଲି ବିଷ୍ଣୁ ସେଠୀ କହିଛନ୍ତି । ତେଣୁ ଏହି ଘଟଣାକୁ CBIକୁ ହସ୍ତାନ୍ତର କରାଇବାକୁ ବିରୋଧୀଦଳ ଉପ ନେତା ବିଷ୍ଣୁ ସେଠୀ ବାଚସ୍ପତିଙ୍କ ନିକଟରେ ଦାବି କରିଛନ୍ତି ।
ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ତାରା ବାହିନୀପତିଙ୍କ ଶୂନ୍ୟକାଳରେ ଉଦବେଗ ପ୍ରକାଶ କରିଥିଲେ । ପୂର୍ବରୁ ରେଭେନ୍ସା କଲେଜରେ ରାଗିଂ ନେଇ ଗୃହରେ ଏଭଳି ଆଲୋଚନା ହୋଇଥିଲେ। ତାରାଙ୍କ ପ୍ରଶ୍ନ ଆଣ୍ଟି ରାଗିଂ ସ୍କ୍ୱାର୍ଡ କରୁଛି କଣ । ବାପା ମାଆଙ୍କ ସମ୍ପତ୍ତି ପିଲା। ଏହି ସ୍ପର୍ଶକାତର ଘଟଣା ଯେଭଳି ନଘଟିବ ସେଥିପାଇଁ ଆଇନ ଆବଶ୍ୟକ । ପିଲାଙ୍କ ସଚେତନା ପାଇଁ ଏକ ଆଇନ ଆଣିବାକୁ ତାରା ଗୃହରେ ଦାବି କରିଛନ୍ତି । କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି । ଏହା ସହ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଛି କଂଗ୍ରେସ । ‘ସାରା ଓଡ଼ିଶାରେ ଶିକ୍ଷାନୁଷ୍ଠାନରେ କିଭଳି ରାଗିଂ ନହେଉ ସେ ନେଇ ମୁଖ୍ୟମନ୍ତ୍ରୀ ନିଜେ ପଦକ୍ଷେପ ଗ୍ରହଣ କରନ୍ତୁ। ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାଶଙ୍କୁ କଣ ପାଇଁ ଜେଲରେ ରଖାଯାଇଛି । ତାର ବିଧିବଦ୍ଧ ତଦନ୍ତ କରାଯାଉ ଯଦି ସେ ଦୋଷୀ ଦଣ୍ଡ ଦିଆଯାଉ ନହେଲେ ତାଙ୍କୁ ଛଡା ଯାଉ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।
ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ପ୍ରଶ୍ନ ଉଠାଇଛନ୍ତି ମୋହନ ମାଝୀ । ଯେଉଁଭଳି ସ୍ଥିତିରେ ବିଜେବି କଲେଜରେ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କଲେ ତାହା ଅତ୍ୟନ୍ତ ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ ଘଟଣା । ରାଗିଂ କାରଣରୁ ଏଭଳି ପରିସ୍ଥିତି ଉପୁଜିଲା, ସବୁ ବିଭାଗରେ ଏଭଳି ହେଉଛି । 5 ବର୍ଷରେ 3100 ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ରାଗିଂକୁ ବନ୍ଦ କରିବା ପାଇଁ ସରକାର ବିହିତ ପଦକ୍ଷେପ ନେବା ଆବଶ୍ୟକ। ଏହାକୁ ବନ୍ଦ କରିବା ପାଇଁ ଆଣ୍ଟି ରାଗିଙ୍ଗ ସ୍କ୍ୱାର୍ଡ କି ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କହିଛନ୍ତି ମୋହନ ମାଝୀ ।
ଇଟିଭି ଭାରତ, ଭୁବନେଶ୍ବର