ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆରୁ ମହିଳାଙ୍କ ମୁଣ୍ଡବିହୀନ ଶରୀର ମିଳିବା ଘଟଣା । କମିଶନରେଟ ପୋଲିସକୁ ମିଳିଲା ବଡ଼ ସଫଳତା । ମହିଳାଙ୍କ ବିଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ମିଳିଲା ମୃତ ମହିଳାଙ୍କ କଟା ମୁଣ୍ଡ । କ୍ରାଇମ ସିନ ରିକ୍ରିଏସନରେ ବେଳେ ଦୁଇ ଅଭିଯୁକ୍ତ ଦେଲେ କଟାମୁଣ୍ଡ ବାବଦରେ ସୂଚନା ।
ଭରତପୁର ରିଜର୍ଭ ଫରେଷ୍ଟ ନିକଟରୁ ମିଳିଲା ମହିଳାଙ୍କ କଟାମୁଣ୍ଡ । କଟା ମୁଣ୍ଡ ଓ ମୁଣ୍ଡ ବିହୀନ ଶରୀର ପଡିବା ସ୍ଥାନ ମଧ୍ୟରେ ଦୂରତା ପ୍ରାୟ 2 କିଲୋମିଟର । କମିଶନରେଟ ପୋଲିସ କଟାମୁଣ୍ଡ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି ।
ଭୁବନେଶ୍ୱର ଡ଼ିସିପି ଉମାଶଙ୍କର ଦାସ, ସ୍ପେଶାଲ ସ୍କ୍ୱାର୍ଡ ଏସିପି ସଂଜୀବ ଶତପଥୀ, ଚନ୍ଦକା ଥାନା ଅଧିକାରୀ, ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଁଚି ତଦନ୍ତ କରିଛନ୍ତି । ସେପଟେ ମୃତ ମହିଳାଙ୍କ ପରିଚୟ ଯୋଗାଡ଼ କରିଛି ପୋଲିସ । ମୃତ ମହିଳା ଜଣକ ହେଲେ ତାମଣ୍ଡ ଥାନା ପାତ୍ରପଡା ଫୁଲେଶ୍ୱରୀ ବସ୍ତିରେ ବୋଲି ଜଣାପଡିଛି । ବଳିଷ୍ଠ ସୁରାକ ମିଳିବା ପରେ ପୋଲିସ ହାତରେ ସମ୍ପୃକ୍ତ 2 ଅଭିଯୁକ୍ତଙ୍କୁ ଗତକାଲି(ବୁଧବାର) ଅଟକ ରଖିଥିଲେ । ହତ୍ୟା ପଛରେ ପରକୀୟା ପ୍ରିତି ଥିବା ସନ୍ଦେହ କରୁଛି ପୋଲିସ । ପରିଚୟ ଲୁଚାଇବା ପାଇଁ ହତ୍ୟାକାରୀ ମୁଣ୍ଡକୁ ଅନ୍ୟତ୍ର ଫିଙ୍ଗିଥିବା କୁହାଯାଉଛି ।
ଗତ 3 ତାରିଖ ରାତିରେ ଅନ୍ଧାରୁଆ-ଦାସପୁର ରାସ୍ତାକଡ଼ ବୁଦାରୁ ମିଳିଥିଲା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ । ମହିଳାଙ୍କ ପରିଚୟ ପାଇବା ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର ମଧ୍ୟ ଲଗାଇଥିଲା ପୋଲିସ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ