ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି(ଶନିବାର) ନୂଆବର୍ଷରେ ସମସ୍ତ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନେତୃତ୍ବରେ ମନ୍ତ୍ରୀମାନେ ଭିସିରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଦୀର୍ଘ ଜୀବନ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ସମସ୍ତ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଲୋକଙ୍କ ସେବା ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ।
କୋଭିଡ଼ କଟକଣା ପାଇଁ ନବୀନ ନିବାସକୁ ନ ଆସିବା ଲାଗି ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏଥିପାଇଁ ଆଜି ମନ୍ତ୍ରୀ ମାନେ ଭିସି ଯୋଗେ ଉପସ୍ଥିତ ଥିଲେ । ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଶୁଭେଚ୍ଛା ଜଣାଇଥିବାବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ମନ୍ତ୍ରୀମାନଙ୍କୁ ଓ ତାଙ୍କ ପରିବାର ବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ଲୋକ ସେବା ଜାରି ରଖିବା ଲାଗି ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ପ୍ରଦାନ ଓ ଶିକ୍ଷକ ଏବଂ ଅଧ୍ୟାପକଙ୍କୁ ସପ୍ତମ ବେତନ କମିଶନ ପ୍ରଦାନ ନିଷ୍ପତ୍ତି ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏହା ବି ପଢନ୍ତୁ: ନୂଆବର୍ଷରେ ଜଗନ୍ନାଥଙ୍କୁ ପୂଜା କରି ଆଶିଷ ଭିକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ
ଏହାସହ ଜାଗା ମିଶନରେ ସହରାଞ୍ଚଳରେ ଗରିବ ଲୋକଙ୍କୁ ଘର ଯୋଗାଇବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ମନ୍ତ୍ରୀମାନେ ଧନ୍ୟବାଦ ଜଣାଇଛନ୍ତି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା, କୃଷି ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, କ୍ରୀଡା ଏବଂ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟକୁ ଆହୁରି ଆଗକୁ ନେବା ଲାଗି ସମସ୍ତ ସହଯୋଗ ଓ କାର୍ଯ୍ୟ କରିବେ ବୋଲି ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରତିଶ୍ରୁତି ରଖିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5-ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ