ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁବାର ପହଞ୍ଚି ଦଳୀୟ କର୍ମକର୍ତ୍ତାଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେବା ସମୟରେ ଦେଶର ଖଣିଜ ପଦାର୍ଥ ପୃଥିବୀରେ ଶ୍ରେଷ୍ଠ ବୋଲି ସେ କହିଛନ୍ତି ।
ଦଳୀୟ କର୍ମକର୍ତ୍ତାଙ୍କୁ ସଶକ୍ତ କରିବାକୁ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି । ଦଳର ବଡ଼ ବଡ଼ ନେତାମାନେ ଏହି ପ୍ରକ୍ରିୟାରେ ସାମିଲ ହୋଇଥିଲେ । ଗଣମାଧ୍ୟମକୁ ସୂଚନା ଦେବା ସମୟରେ ସେ କହିଛନ୍ତି, "କୃଷକଙ୍କ ଉନ୍ନତି ପାଇଁ ଆମ ସରକାର ସର୍ବଦା ଉଦ୍ୟମରତ । ନୂଆ ଆଇନ କୃଷକଙ୍କ ଉନ୍ନତି ଦିଗରେ ଏକ ବଡ଼ ଉଦ୍ୟମ । ଦଳର ଇସ୍ତାହାରରେ ଏହା ଆମେ କହିଥିଲୁ । ଏହାକୁ ବିରୋଧ କରିବା ପଛରେ ଭିନ୍ନ ଉଦ୍ୟମ ରହିଛି " ବୋଲି ସେ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ କୃଷି ଆଇନକୁ ଦେଶର ଚାଷୀ ଓ ସାଧାରଣ ଗ୍ରାମର ଲୋକମାନେ ଏନେଇ ଆମକୁ ସମର୍ଥନ କରୁଛନ୍ତି । ଆଇନ ଆସିବା ପରେ କଂଗ୍ରେସ ଏହି ପ୍ରସଙ୍ଗ ଉଠାଉଛି । କିନ୍ତୁ ଆନ୍ଦୋଳନରତ କୃଷକଙ୍କ ସହିତ କେନ୍ଦ୍ର ସରକାର ଆଲୋଚନା କରିବାକୁ ପ୍ରସ୍ତୁତ । କିନ୍ତୁ ଆଇନକୁ ପ୍ରତ୍ୟାହାର କରିବାର ଜିଦ ଉଚିତ ନୁହେଁ ବୋଲି ସେ କହିଛନ୍ତି ।
କୋଇଲା ରୟାଲଟି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଯୋଶୀ କହିଛନ୍ତି ଯେ ଦେଶର କୋଇଲା ଓ ମିନେରାଲ ସବୁଠୁ ମୂଲ୍ୟବାନ ପଦାର୍ଥ । ତେବେ ସବୁ ଷ୍ଟେକ ହୋଲ୍ଡରଙ୍କ ସହ ଆଲୋଚନା କରି ନିଷ୍ପତ୍ତି ହେବ । କମିଟି ରିପୋଟ ଶୀଘ୍ର ଆସିବା ପରେ ନିଷ୍ପତ୍ତି ହେବ । ଉତ୍ପାଦନ ଖର୍ଚ୍ଚକୁ ବି ବିଚାର କରିବାକୁ ପଡିବ । ରୟାଲଟି ନେଇ ଯାହା ଓଡିଶା ଦାବି କରିଥିଲା ତାକୁ ଶତ ପ୍ରତିଶତ ବିଚାର କରାଯାଉଛି ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ