ଭୁବନେଶ୍ବର: ଏପ୍ରିଲରୁ ମିଳିବ ମଧ୍ୟାହ୍ନ ଭୋଜନ। ରାଜ୍ୟର ସ୍କୁଲ ଗୁଡ଼ିକରେ କୋଭିଡ ପରଠାରୁ ବନ୍ଦ ଥିବା ରନ୍ଧା ଖାଦ୍ୟ ବ୍ୟବସ୍ଥା ଆସନ୍ତା ଏପ୍ରିଲରୁ ପୁଣି କାର୍ଯ୍ୟକ୍ଷମ ହେବାକୁ ଯାଉଛି। ପିଏମ୍ ପୋଷଣ ଯୋଜନା ଅନ୍ତର୍ଗତ ଏହି ମଧ୍ୟାହ୍ନ ଭୋଜନ ପୁନଃ ଆରମ୍ଭ କରିବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। ଏଥିଲାଗି ଆନୁସଙ୍ଗିକ ବ୍ୟବସ୍ଥା କରିବାପାଇଁ ସ୍ବତନ୍ତ୍ର ଏସଓପି ମଧ୍ୟ ଜାରି କରାଯାଇଛି।
ପୂର୍ବରୁ ରନ୍ଧା ଖାଦ୍ୟ ବଦଳରେ ପିଲାଙ୍କୁ ଶୁଖିଲା ରାସନ୍ ଦିଆଯାଉଥିଲା। ଏନେଇ ଏସଓପି ଜାରି ହୋଇଛି। କୋଭିଡ-19 ମହାମାରୀ ହେତୁ ମାର୍ଚ୍ଚ 2020ରେ ରାଜ୍ୟର ସମସ୍ତ ବିଦ୍ୟାଳୟ ବନ୍ଦ ହୋଇଯାଇଥିଲା। ଯେହେତୁ ମଧ୍ୟାହ୍ନ ଭୋଜନ ପ୍ରଥମ ଶ୍ରେଣୀରୁ ଅଷ୍ଟମ ପର୍ଯ୍ୟନ୍ତ ବିଦ୍ୟାଳୟରେ ପଢ଼ୁଥିବା ପ୍ରତ୍ୟେକ ପିଲାଙ୍କର ଏକ ଅଧିକାର ଏବଂ ଏହା ନିଶ୍ଚିତ କରିବାକୁ ଯେ କୌଣସି ପିଲା ତାଙ୍କ ଅଧିକାରରୁ ବଞ୍ଚିତ ନହୁଅନ୍ତି ତେଣୁ ଏପ୍ରିଲ୍ 2022ରୁ ଗରମ ରନ୍ଧା ଖାଦ୍ୟ ପରିବେଷଣ କରାଯିବ।
ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଏବଂ ସତର୍କତା ଅବଲମ୍ବନ କରାଯିବା ଆବଶ୍ୟକ । ରୋଷେଇ ଘର ସାନିଟାଇଜେସନ କରାଯିବ। ହାତ ଧୋଇବା ସ୍ଥାନ ଓ ବାସନ ଗୁଡିକକୁ ସଫା ରଖାଯିବ। ସେହିପରି ଉପଲବ୍ଧ ମଧ୍ୟାହ୍ନ ଭୋଜନ ଉପାଦାନ ଗୁଡ଼ିକର ଯାଞ୍ଚ କରିବା। ଯେହେତୁ ବିଦ୍ୟାଳୟ ଗୁଡ଼ିକ ବନ୍ଦ ହେବା ସମୟରେ, ଅବ୍ୟବହୃତ ମଧ୍ୟାହ୍ନ ଭୋଜନ ଚାଉଳ, ତେଲ, ଡାଲି, ଏବଂ ଅନ୍ୟାନ୍ୟ ଉପାଦାନଗୁଡ଼ିକ ରହିଛି ସେଗୁଡିକକୁ ରୋଷେଇ ପୂର୍ବରୁ ଯାଞ୍ଚ କରିବା ଆବଶ୍ୟକ। ଏହାର ତଦାରଖ ଏବଂ ମନିଟରିଂ କରିବା ଆବଶ୍ୟକ। ପନିପରିବା କାଟିବା ଏବଂ ରାନ୍ଧିବା ପୂର୍ବରୁ ସଫା ପାଣିରେ ଭଲ ଭାବରେ ଧୋଇବା ଆବଶ୍ୟକ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ