ଭୁବନେଶ୍ବର: ମହାନଦୀ କୋଲ୍ଫିଲ୍ଡ ଲିମିଟେଡ୍(MCL) ଚଳିତ ଆର୍ଥିକ ବର୍ଷ ପାଇଁ ସ୍ଥିର ହୋଇଥିବା ୧୬୩ ନିୟୁତ ଟନ୍ କୋଇଲା ଉତ୍ପାଦନ ଲକ୍ଷ୍ୟକୁ ସଫଳତାର ସହ ହାସଲ କରିଛି । କୋଲ ଇଣ୍ଡିଆର ସହାୟକ କମ୍ପାନୀ MCL ମଙ୍ଗଳବାର ଏହି ଲକ୍ଷ୍ୟକୁ ଅତିକ୍ରମ କରିଛି । ଆର୍ଥିକ ବର୍ଷର ଅବଶିଷ୍ଟ ୯ ଦିନ ମଧ୍ୟରେ କୋଇଲା ଉତ୍ପାଦନକୁ ବୃଦ୍ଧି କରିବା ସହ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବାକୁ MCL ଉଦ୍ୟମ ଜାରି ରଖିଛି ।
MCL କୋଇଲା ଉତ୍ପାଦନରେ ୧୫%, ଉତ୍ତୋଳନରେ ୨୧% ଏବଂ ବଳକା କୋଇଲା ଅପସାରଣ(ଓବିଆର)ରେ ୧୮% ଅଭିବୃଦ୍ଧି ସହିତ ଚଳିତ ଆର୍ଥିକ ବର୍ଷରେ ନୂତନ ରେକର୍ଡ ହାସଲ କରିବାକୁ ପ୍ରସ୍ତୁତ ଅଛି । ଏହି ସଫଳତା ପାଇଁ କମ୍ପାନୀର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଉତ୍ସାହିତ କରିଛି । ଏନେଇ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ MCL ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଓମ୍ ପ୍ରକାଶ ସିଂ । ସେ କହିଛନ୍ତି ଯେ, MCL ପରିବାର ସମସ୍ତ ସଦସ୍ୟଙ୍କ ପାଇଁ ଏହା ନିଶ୍ଚିତ ଭାବେ ଏକ ବଡ଼ଦିନ । ଆର୍ଥିକ ବର୍ଷ ପୂରଣ ହେବାକୁ ଆହୁରି ୯ ଦିନ ବାକି ଥିବାବେଳେ ଦେଶର ଶକ୍ତି ଆବଶ୍ୟକତା ପୂରଣ ପାଇଁ କମ୍ପାନୀ ୧୬୩ ୟୁନିଟ ଟନ୍ କୋଇଲା ଉତ୍ପାଦନର ସର୍ବୋଚ୍ଚ ଲକ୍ଷ୍ୟ ହାସଲ କରିଛି ।
MCL ମୁଖ୍ୟାଳୟ ଓ କୋଲ୍ଫିଲ୍ଡ ଅଞ୍ଚଳରେ କର୍ମଚାରୀଙ୍କ ମଧ୍ୟରେ ଥିବା ସକ୍ରିୟ ଆଭିମୁଖ୍ୟକୁ ସିଏମ୍ଡ଼ି ମଧ୍ୟ ପ୍ରଶଂସା କରିଛନ୍ତି । ସେ ଆହୁରି କହିଛନ୍ତି ଯେ, କମ୍ପାନୀର ସଫଳତା ହେଉଛି ସମସ୍ତ ସ୍ତରରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ଓ ଦଳଗତ କାର୍ଯ୍ୟର ଏହା ହେଉଛି ପ୍ରତିଫଳନ । କମ୍ପାନୀର ସଫଳତା ପାଇଁ ସହଯୋଗ କରିଥିବା ଲୋକ ପ୍ରତିନିଧି, ରାଜ୍ୟ ପ୍ରଶାସନ, ଶ୍ରମିକ ସଂଗଠନ ପ୍ରତିନିଧି, ପାରିପାର୍ଶ୍ବିକ ଗ୍ରାମବାସୀ ଏବଂ ସମସ୍ତ ହିତାଧିକାରୀଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ