ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ନିର୍ବାଚନନ ପାଇଁ ଜାରି ରହିଛି ନାମାଙ୍କନ ପତ୍ର ଦାଖଲ । ରାଜ୍ୟର 3 ପ୍ରମୁଖ ରାଜନୈତିକ ଦଳ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି । କଂଗ୍ରେସ ଟ୍ବିନ ସିଟିରେ ନିଜ ମେୟର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ବିଜେପି ବିଜେଡିର ଅଙ୍କ ଶେଷ ହେଉନାହିଁ । ଏପରି ସ୍ଥଳେ ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଦଳୀୟ ମେୟର ପ୍ରାର୍ଥୀକୁ ନେଇ ବଡ ସୂଚନା ଦେଇଛନ୍ତି ।
ଅପରାଜିତା କହିଛନ୍ତି ବିଜେପିର ମେୟର ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା, ଅଭିଜ୍ଞତା ଓ ସକାରାତ୍ମକ ପ୍ରବୃତ୍ତି ହେବ ମାପ ଦଣ୍ଡ । ଯିଏ ମେୟର ହେବେ ସମସ୍ତଙ୍କୁ ନେଇ ଚାଲିବେ । ସେବା ମନବୃତ୍ତି ହେବା ଦରକାର । ସହର ସମସ୍ୟା ବୁଝୁଥିବେ । ସମସ୍ୟା ସମାଧାନର ପ୍ରବୃତ୍ତି ହେବା ଦରକାର । ଡ୍ରେନେଜ ସମସ୍ୟା ଓ ବସ୍ତି ସମସ୍ୟା ରହିଛି । ବସ୍ତିରେ ସୁଧାର ଆସି ପାରୁନାହିଁ । ବସ୍ତିକୁ ସହର ସହ ମିଶାଇବାକୁ ପଡିବ । ସାଢେ 400ରୁ ଉର୍ଦ୍ଧ୍ବ ବସ୍ତି ଉପରେ ଧ୍ୟାନ ଦେବାକୁ ପଡିବ । ବସ୍ତି ଲୋକଙ୍କ ଜୀବନ ଧାରା ଉନ୍ନତ କରିବାକୁ ପଡିବ । ପ୍ରତି କଲୋନୀରେ ଜିମ, ପାର୍କ ହେବା ଦରକାର । ସୁରକ୍ଷିତ ସହର ରହିବ ପ୍ରମୁଖ ପ୍ରସଙ୍ଗ । ମୌଳିକ ସମସ୍ୟାକୁ ଧ୍ୟାନ ଦେଇ ସବୁବେଳେ ସକ୍ରିୟ ରହିବା ଭଳି ମେୟର ଆବଶ୍ୟକ ।
ସେହିପରି ଅପରାଜିତା କହିଛନ୍ତି ମେୟର ଟିକେଟ ପାଇଁ ବହୁତ ଆବେଦନ ଆସିଛି । ରାଜ୍ୟ ନେତୃତ୍ବଙ୍କ ସହ ଆଲୋଚନା ଚାଲିଛି । ଆଜି କିମ୍ବା କାଲି ଭିତରେ ଘୋଷଣା ହେବ । ବହୁତ ପ୍ରକାର ଆବେଦନ ଆସିଛି । ବିଜେପି ଦଳ ସହ ସମ୍ପୃକ୍ତ ନଥିବା ଲୋକଙ୍କର ମଧ୍ୟ ଆବେଦନ ଆସିଛି । ବିଜେପି ସଦସ୍ୟଙ୍କର ମଧ୍ୟ ଆବେଦନ ଆସିଛି । ବସ୍ତି ଲୋକଙ୍କ ପାଇଁ କାମ କରୁଥିବା ଲୋକଙ୍କର ମଧ୍ୟ ଆବେଦନ ଆସିଛି । ରାଜ୍ୟ ସଭାପତିଙ୍କ ସହ ଆଲୋଚନା ଚାଲିଛି । ସଭାପତି ହିଁ ନିଷ୍ପତ୍ତି ନେବେ ।
ସେହିଭଳି ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନେଇ ପୁଣି ଥରେ ଅପରାଜିତା କହିଛନ୍ତି ସୂର୍ଯ୍ୟାସ୍ତ ପରେ ହିଁ ସୂର୍ଯ୍ୟୋଦୟ ହୁଏ । ଅନ୍ଧକାର ପରେ ହିଁ ପ୍ରକାଶ ଆସିବ । ଆମର ତ୍ରୁଟି ଅଛି, ବିଜେପିର ମଧ୍ୟ ତ୍ରୁଟି ଅଛି । ଯେଉଁ ଅନୁସାରେ କ୍ଷମତା ପ୍ରଦର୍ଶନ ହେବା କଥା ହୋଇପାରିଲା ନାହିଁ । କାହିଁକି ହେଲା ନାହିଁ ସେ ନେଇ ସମୀକ୍ଷା ଚାଲିଛି । ଏବେ ବି କର୍ମୀ ମାନଙ୍କ ଭିତରେ ଉତ୍ସାହ ଓ ଆତ୍ମ ବିଶ୍ବାସ ରହିଛି । ପୌର ନିର୍ବାଚନ ପାଇଁ ସମୟ କମ ମିଳିଛି । ଆମେ ଆମର ଶତ ପ୍ରତିଶତ ଦେବୁ । ପଞ୍ଚାୟତ ନିର୍ବାଚନ ଫଳାଫଳର ପ୍ରଭାବ ପୌର ନିର୍ବାଚନ ଉପରେ ପଡିବ ନାହିଁ । ଫଳାଫଳ ନେଇ ଆମେ ବହୁତ ଅସନ୍ତୁଷ୍ଟ । ଅତ୍ୟନ୍ତ ଦୁଃଖିତ । ଆମର ଭୁଲ ରହିଛି । ଆମେ ସୁଧାରିବୁ । ସଂଘର୍ଷ କରୁଥିବୁ । ଯେଉଁ ପର୍ଯ୍ୟନ୍ତ ସୂର୍ଯ୍ୟୋଦୟ ହୋଇନାହିଁ ସଂଘର୍ଷ ଜାରି ରଖିବୁ ବୋଲି ଅପରାଜିତା କହିଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ