ଭୁବନେଶ୍ବର: ରାଜ୍ୟର ୧୭ଟି ଜିଲ୍ଲାରେ ଚଳିତ ରବିଧାନ ବିକ୍ରି ପାଇଁ ମୋଟ ୨ ଲକ୍ଷ ୫୭ ହଜାର ୯୫୬ ଜଣ ଚାଷୀ ଅନ୍ଲାଇନ୍ ମାଧ୍ୟମରେ ସେମାନଙ୍କର ନାମ ପଞ୍ଜୀକରଣ କରିଛନ୍ତି । ୨୦୨୧ ବର୍ଷର ରବିଧାନ ତୁଳନାରେ ୨୦୨୨ ବର୍ଷରେ ଚାଷୀମାନଙ୍କ ନାମ ପଞ୍ଜୀକରଣରେ ୧୧ ପ୍ରତିଶତ ବୃଦ୍ଧି ଘଟିଛି । ୨୦୨୧ ରବିଧାନ ସଂଗ୍ରହ ପାଇଁ ୨ ଲକ୍ଷ ୩୩ ହଜାର ଜଣ ଚାଷୀ ସେମାନଙ୍କ ନାମ ପଞ୍ଜୀକରଣ କରିଥିଲେ ।
ପଞ୍ଜୀକୃତ ଚାଷୀମାନେ ଦେଇଥିବା ଜମିଜମାର ରେକର୍ଡ ଓ ବ୍ୟାଙ୍କ ଆକାଉଣ୍ଟ, ଧାନଚାଷ କରିଥିବା ପ୍ରକୃତ ଜମି, ଜଳସେଚିତ ଜମିର ପରିମାଣ ଆଦିର ତଥ୍ୟ ଯାଞ୍ଚ ପରେ ଚାଷୀମାନଙ୍କ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯିବ । ୨୦୨୧-୨୨ ବର୍ଷରେ ଖରିଫ୍ ଧାନଚାଷ ଜମିର ଯାଞ୍ଚ ପାଇଁ ପାଇଲଟ୍ ପ୍ରକଳ୍ପ ଭାବରେ ସାଟେଲାଇଟ୍ ଇମେଜରି ମାଧ୍ୟମରେ ଯାଞ୍ଚ କାର୍ଯ୍ୟ ସଫଳତାର ସହ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଚଳିତ ରବିଧାନ କରାଯାଇଥିବା ସମସ୍ତ ୧୭ଟି ଜିଲ୍ଲାର ଧାନଚାଷ ଜମିର ଯାଞ୍ଚ ସାଟେଲାଇଟ୍ ଇମେଜରି ମାଧ୍ୟମରେ କରାଯାଉଛି । ଏ ନେଇ ସୂଚନା ଦେଇଛନ୍ତି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
ଭୁଲ ତଥ୍ୟ ମିଳିଲେ ସଂପୃକ୍ତ ଜମିକୁ ବାଦ ଦିଆଯାଉଛି । ପଞ୍ଜୀକରଣ ଓ ନାମ ଯାଞ୍ଚ ହୋଇଥିବା ଚାଷୀମାନେ ହିଁ ଉଦ୍ଦିଷ୍ଟ ମଣ୍ଡିରେ ସେମାନଙ୍କର ରବିଧାନ ବିକ୍ରି କରିପାରିବେ । ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ସଂପୂର୍ଣ୍ଣ ସ୍ଵଚ୍ଛ କରିବା ସହିତ ଚାଷୀମାନେ ଯେପରି ସହଜରେ ଓ ସୁବିଧାରେ ସେମାନଙ୍କର ଧାନ ବିକ୍ରି କରିପାରିବେ ସେଥିପାଇଁ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଧାନ ବିକିବାରେ ଚାଷୀ କୌଣସି ଅସୁବିଧାର ସମ୍ମୁଖୀନ ହେଲେ କ୍ଷେତ୍ର ଅଧିକାରୀ ତା’ର ତୁରନ୍ତ ସମାଧାନ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ବାଲେଶ୍ଵର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁରରୁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରବିଧାନ ସଂଗ୍ରହ କରାଯିବ । ଏହିସବୁ ଜିଲ୍ଲାର ମଣ୍ଡିରେ ଚାଷୀମାନଙ୍କଠାରୁ ପି-ପାସ୍ ଓ ଆଗୁଆ ଟୋକେନ ପ୍ରଦାନ ମାଧ୍ୟମରେ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ସଂଗ୍ରହ କରାଯିବ । ରବିଧାନ ସଂଗ୍ରହ କାର୍ଯ୍ୟ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ।
ରବିଧାନ ପାଇଁ ମୋଟ ୨ ଲକ୍ଷ ୫୭ ହଜାର ୯୫୬ ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୯୧ ହଜାର ୫ ଜଣ ଚାଷୀ ନୂତନ ଭାବରେ ସେମାନଙ୍କ ନାମ ପଞ୍ଜୀକରଣ କରିଛନ୍ତି । ୧ ଲକ୍ଷ ୬୬ ହଜାର ୯୫୧ ଜଣ ଚାଷୀ ସେମାନଙ୍କ ନାମକୁ ନବୀକରଣ କରିଛନ୍ତି । ଚଳିତ ରବିଧାନ ସଂଗ୍ରହ ପ୍ରକ୍ରିୟାରେ ବରଗଡ଼ ଜିଲ୍ଲାରେ ସର୍ବାଧିକ ୮୧ ହଜାର ୨୮୬ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିବାବେଳେ ବାଲେଶ୍ଵରରେ ୩୪ ହଜାର ୯୪୧ ଜଣ, ସୁବର୍ଣ୍ଣପୁରରେ ୩୨ ହଜାର ୯୪୬ ଜଣ, କୋରାପୁଟରେ ୧୯ ହଜାର ୩୪୫ ଜଣ, ପୁରୀର ୧୭ ହଜାର ୪୫୫ ଜଣ, କଳାହାଣ୍ଡିର ୧୭ ହଜାର ୩୯୯ ଜଣ ଓ ସମ୍ବଲପୁରରେ ୧୪ ହଜାର ୭୫୯ ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ