ଭୁବନେଶ୍ବର: ମାଡି ଆସୁଛି ଶୀତ ଲହରୀ, କୁହୁଡି ପରେ ଜାଡ ଭାଙ୍ଗିବ ହାଡ଼ । ଗତ କିଛି ଦିନ ଧରି କୁହୁଡି ଚାଦରରେ ଆଚ୍ଛାଦିତ ଥିବା ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆଜି ବି ଅଧା ଦିନ କୁହୁଡି ବଳୟରେ ଥିଲା । ତେବେ ଆସନ୍ତା ୪୮ ଘଣ୍ଟା ଯାଏଁ ଏପରି ସ୍ଥିତି ଲାଗି ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ତେବେ ବର୍ଷା ପରେ ପୁଣି ଥରିବ ଉପାନ୍ତରୁ ଉପକୂଳ । ବଦଳିବ ପାଣିପାଗ, ଫେରିବ ଶୀତ । ବିଶେଷ କରି ଶୀତରେ ଥରିବ ପଶ୍ଚିମ ଓଡିଶା । କାରଣ ସୋନପୁର ସମ୍ବଲପୁର ବଲାଙ୍ଗୀର ଭଳି ଜିଲ୍ଲାରେ ୧୦ ଡିଗ୍ରୀ ତଳକୁ ଖସିବ ପାରଦ । ଏହାକୁ ନେଇ ଏହି ସବୁ ଅଞ୍ଚଳରେ ୨୬ ଓ ୨୭ରେ cold wave ହେବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ଏହାସହ ଆସନ୍ତାକାଲି(ବୁଧବାର)ଠୁ ପାଗ ଶୁଖିଲା ରହିବ । କାଲି ସକାଳ ୮ଟା ୩୦ ମଧ୍ୟରେ ୮ ଜିଲ୍ଲା କନ୍ଧମାଳ, ନୟାଗଡ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକରେ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ୨୭ ତାରିଖ ସକାଳ ଯାଏଁ ଦକ୍ଷିଣ ଉପକୂଳ ଓଡିଶାର ୮ଟି ଜିଲ୍ଲାକୁ ଘନ କୁହୁଡି ସତର୍କତା ଜାରି ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଉପକୂଳ ଓଡିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ତେବେ ଆସନ୍ତା ୪ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୩ ରୁ ୫ ଡିଗ୍ରୀ ହ୍ରାସ ପାଇବା ସହ ଆସନ୍ତା ୨୮ ତାରିଖରୁ ଶୀତ ଲହରୀ ବା କୋଲ୍ଡ ୱେଭ୍ ଫେରିବା ନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ମଧ୍ୟ ତାପମାତ୍ରା ହ୍ରାସ ହେବ । ଆସନ୍ତା ୫ ଦିନ ବା ୩୦ ତାରିଖ ପର୍ଯ୍ୟନ୍ତ ଜାଡରେ ଥରିବ ଓଡିଶା । ଜାଡ ସହ ଘନ କୁହୁଡି ପାଇଁ ମଧ୍ୟ ଅସ୍ତବ୍ୟସ୍ତ ହେବ ଜନଜୀବନ ।
ଅନ୍ୟପଟେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ