ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ 25 ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । 7 ଦିନିଆ ବିଧାନସଭା ଅଧିବେଶନରେ ରହିଛି ମାତ୍ର 6ଟି କାର୍ଯ୍ୟ ଦିବସ । ମାର୍ଚ୍ଚ 30 ତାରିଖରେ ଆର୍ଥିକ ବର୍ଷ 2022-23 ପାଇଁ ରାଜ୍ୟ ବଜେଟ ଅଧିବେଶନ ହେବ । ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ବିଧି ଅନୁସାରେ କାମଚଳା ବଜେଟ ଉପସ୍ଥାପନ କରାଯିବ ନେଇ ଶାସକ ଦଳ ପକ୍ଷରୁ କୁହାଯାଇଛି । ଏହି କାମଚଳା ବଜେଟରେ ଫ୍ଲାଗ ସିପ ପ୍ରକଳ୍ପକୁ ଅଧିକ ଗୁରୁତ୍ୱ ମିଳିପାରେ ବୋଲି ବରିଷ୍ଠ ନେତା ଦେବୀ ମିଶ୍ର କହିଛନ୍ତି ।
ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର କହିଛନ୍ତି ଯେ, "ବିଧି ଅନୁସାରେ ମାର୍ଚ୍ଚ 31 ହେଉଛି ଆର୍ଥିକବର୍ଷର ଶେଷ ଦିନ । ମାର୍ଚ୍ଚ 31 ସୁଦ୍ଧା ରାଜ୍ୟର ଆୟ ଓ ବ୍ୟୟର ଆକଳନ ହୋଇଥାଏ । ସେହି ଅନୁସାରେ ବିଭିନ୍ନ ବିଭାଗ ଓ ସାମଗ୍ରିକ ଭାବେ ରାଜ୍ୟର ବଜେଟ ଉପସ୍ଥାପନ ହୋଇଥାଏ । ତାହା ମଧ୍ୟ ରୂପାୟିତ ହୋଇଥାଏ । ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ପୌର ନିର୍ବାଚନ ଲାଗି ପ୍ରକ୍ରିୟା ଚାଲିଛି । ନବ ନିର୍ବାଚିତ ପଞ୍ଚାୟତର ସମସ୍ତ ପ୍ରତିନିଧି ଦାୟିତ୍ୱ ନେଇ ନାହାନ୍ତି । ତେଣୁ ସ୍ୱଳ୍ପକାଳୀନ କାମଚଳା ବଜେଟ ପ୍ରସ୍ତୁତ କରିବାର ଆବଶ୍ୟକତା ପଡ଼ିଲା ।"
ଅର୍ଥ ବିଭାଗ ଓ ରାଜ୍ୟ ସରକାରଙ୍କ ସହ ପରାମର୍ଶ କରି ବାଚସ୍ପତି ସ୍ୱଳ୍ପକାଳୀନ ବଜେଟ ଅଧିବେଶନ ନିର୍ଦ୍ଧାରଣ କରିଛନ୍ତି । 6 ଦିନିଆ କାମଚଳା ବଜେଟ 30 ତାରିଖରେ ଉପସ୍ଥାପିତ ହେବ । ଏହାସହ 3 ମାସ ପରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ । ଏହା ଉପରେ ବିଧାନସଭାରେ ଆଲୋଚନା ହେବ । କାମଚଳା ବଜେଟ ଉପସ୍ଥାପିତ ହେବା ପୂର୍ବରୁ ମନ୍ତ୍ରୀ ପରିଷଦର ଅନୁମୋଦନ ପାଇଁ ଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଏହାକୁ ଅନୁମୋଦନ କରାଯିବ । ମନ୍ତ୍ରୀ ପରିଷଦରୁ ଅନୁମୋଦନ ହେବା ପରେ ବଜେଟ ଉପସ୍ଥାପିତ ହେବ । ରାଜ୍ୟରେ ଜାରି ରହିଥିବା ଫ୍ଲାଗ୍ସିପ ପ୍ରକଳ୍ପକୁ ଗୁରୁତ୍ୱ ଦିଆଯିବ ବୋଲି ଅନୁମାନ କରାଯାଉଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ