ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଆଜି ସକାଳ ସମୟରେ ସୁଦୃଶଃ ହୋଇଛି । ଲଘୁଚାପ ଅଧିକ ଘନୀଭୂତ ହୋଇ ଆଗାମୀ ୬ ଘଣ୍ଟା ମଧ୍ୟରେ ଅବପାତର ରୂପ ନେଇପାରେ । ଏହା ଉତ୍ତର-ଉତ୍ତର-ପୂର୍ବ ଦିଗରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସମୁଦ୍ର ମଧ୍ୟରେ ଓଡିଶା ଉପକୂଳ ମୁହାଁ ହେବ । ଲଘୁଚାପ କ୍ଷେତ୍ରଟି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସକ୍ରିୟ ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ବିଟ୍ କରି ସୂଚନା ଦେଇଛି ।
ଲଘୁଚାପ ଆଗାମୀ ୬ ଘଣ୍ଟାରେ ଅବପାତରେ ପରିଣତ ହେବା ପରେ ୮ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ । ୧୦ ତାରିଖ ସନ୍ଧ୍ୟା ଯାଏଁ ଏହା ଉତ୍ତରପଶ୍ଚିମ ଦିଗରେ ଗତିକରି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ସମୁଦ୍ର ମଧ୍ୟରେ ଉତ୍ତର-ଆନ୍ଧ୍ର ଏବଂ ଓଡିଶା ଉପକୂଳ ପହଞ୍ଚିବା ପରେ ଦିଗ ପରିବର୍ତ୍ତନ କରିବ । ଅବପାତର ରୂପ ନେବା ପରେ ଭାରତୀୟ ପାଣିପାଗ କେନ୍ଦ୍ର ବାତ୍ୟା ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଇପାରିବ । କେଉଁଠି ଲ୍ୟାଣ୍ଡଫଲ କରିବ ସେନେଇ ଚିତ୍ର ସ୍ପଷ୍ଟ ହେବ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା । ସ୍ପଷ୍ଟ ସୂଚନା ମିଳିବା ପରେ NDRF, ODRAF ଓ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯିବ । ତେବେ 10 ତାରିଖ ଦିନ ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସ୍ଥାନେ ସ୍ଥାନେ ଅତିପ୍ରବଳ ବର୍ଷା ହୋଇପାରେ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ