ଭୁବନେଶ୍ବର: ପ୍ରେମିକାର ସାଥ ଛାଡିଥିଲା ପ୍ରେମିକ । ଥାନାର ଦ୍ବାରସ୍ତ ହେବା ପରେ ଉଭୟଙ୍କୁ ପୁଣି ଏକାଠି କଲା ପୋଲିସ୍ । ମତାନ୍ତର ବଦଳିଲା ପ୍ରେମ ବିବାହରେ । ଅଲଗା ହୋଇ ଯାଇଥିବା ପ୍ରେମୀଯୁଗଳଙ୍କୁ ଏକାଠି କଲା ପୋଲିସ । ଏଭଳି ଏକ ରୋଚକ ଘଟଣା ଘଟିଛି ଖାରବେଳ ନଗର ଥାନା ଅଞ୍ଚଳରେ ।
ସୂଚନା ମୁତାବକ ଏହି ଅଞ୍ଚଳରେ ଦୀର୍ଘଦିନ ଧରି ଲିଭ ଇନରେ ରହୁଥିଲେ ଢେଙ୍କାନାଳର ପ୍ରେମୀଯୁଗଳ । ପ୍ରେମିକ ଜଣେ ରାଜମିସ୍ତ୍ରୀ ଭାବେ କାମ କରୁଥିବା ବେଳେ ପ୍ରେମିକା ଏକ ଘରୋଇ ଅନୁଷ୍ଠାନରେ କାମ କରୁଥିଲେ । ତେବେ ହଠାତ ଉଭୟଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହେବାରୁ ପ୍ରେମିକାକୁ ଛାଡି ପଳାଇଥିଲା ପ୍ରେମିକ । ନିରୁପାୟ ହୋଇ ପ୍ରେମିକା ପହଞ୍ଚିଥିଲେ ଥାନାରେ ।
ଅଭିଯୋଗ ଶୁଣିବା ପରେ ପୋଲିସ ପ୍ରେମିକକୁ ଯୋଗାଯୋଗ କରିଥିଲା । କିଛି ମତାନ୍ତର ପାଇଁ ଅଲଗା ହୋଇଥିବା ମନକୁ ଏକାଠି କଲା । ଆଉ ବୁଝାମଣା ପରେ ଖାରବେଳ ନଗର ଥାନା ପୋଲିସ ସହାୟତାରେ ଉଭୟଙ୍କର ରାମମନ୍ଦିରରେ ବାହାଘର ହୋଇଥିଲା । ଯାହାକୁ ନେଇ ଏବେ ଥାନା ବାବୁଙ୍କୁ ସମସ୍ତେ ସାଧୁବାଦ ଜଣାଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର