ଭୁବନେଶ୍ବର: ସରିଲା ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ସମନ୍ୱୟ ବୈଠକ । ନିଷ୍ପତ୍ତି ମୁତାବକ ରାତି ୧୦ଟା ରେ ଉଠିବ ମହାଦୀପ । ମନ୍ଦିର ଭିତରେ କୋଭିଡ୍ କଟକଣା ମଧ୍ୟରେ ଭକ୍ତ ଜାଳିବେ ଦୀପ ।
ଆଡକାଠ ପାଖରୁ ଭକ୍ତ କରିବେ ଦର୍ଶନ । ଗର୍ଭ ଗୃହ ଦର୍ଶନ ଉପରେ କଟକଣା ଲଗାଇଲା ପ୍ରଶାସନ । ସେହିପରି ଏଥର ମନ୍ଦିର ବାହାରେ ହେବ ସଙ୍ଗରୋଧ କେନ୍ଦ୍ର । ଗହଳି ହଟାଇବା ପାଇଁ କରାଯିବ ସ୍ବତନ୍ତ୍ର ବ୍ୟବସ୍ଥା । ରାତି ୩ ଟା ରୁ ୩.୩୦ ପର୍ଯ୍ୟନ୍ତ ଅବକାଶ ନୀତି ଅନୁଷ୍ଠିତ ହେବା ସହ ୫ ଟା ଯାଏଁ ସେବାୟତଙ୍କ ପରିବାର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବାର ବନ୍ଦୋବସ୍ତ ରହିଛି ।
ଏହାପରେ ସକାଳ ୫ଟା ପରଠାରୁ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ମିଳିବ । ସେପଟେ ସମସ୍ତ ନିଯୋଗ ପୂର୍ଣ୍ଣ ସହଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କ୍ୟାପିଟାଲ ହସ୍ପିଟାଲ ସହଯୋଗରେ କୋଭିଡ କ୍ୟାମ୍ପ ରହିବ । ଶୃଙ୍ଖଳିତ ଶିବରାତ୍ରୀ ପାଳନ ନେଇ ପୋଲିସ ବିଭାଗ ସହ ଆଲୋଚନା ହେଇଛି । ଟ୍ରାଫିକ ଓ ପାର୍କିଂକୁ ବ୍ୟବସ୍ଥିତ କରାଯିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି କହିଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ