ଭୁବନେଶ୍ବର: କଳିଙ୍ଗ ଷ୍ଟାଡ଼ିୟମ ପରିସରରୁ ସରକାରୀ ଶାରୀରିକ ଶିକ୍ଷା କଲେଜକୁ ସ୍ଥାନାନ୍ତର କରିବା ରାଜ୍ୟ କ୍ରୀଡ଼ା ସଚିବ ବିଶାଳ ଦେବଙ୍କୁ ପଡିଲା ମହଙ୍ଗା। ଏନେଇ ଓଡ଼ିଶା ଲୋକାୟୁକ୍ତ କ୍ରୀଡ଼ା ସଚିବ ବିଶାଳ ଦେବଙ୍କୁ ନୋଟିସ ଜାରି କରିଛନ୍ତି । ଏହି ମାମଲାର ଶୁଣାଣି ଆସନ୍ତା ଜାନୁୟାରୀ ୨୪ ତାରିଖରେ ହେବ । ଓଡ଼ିଶା ଅଭିଭାବକ ମହାସଂଘର ଆବେଦନ ଆଧାରରେ ଓଡ଼ିଶା ଲୋକାୟୁକ୍ତ ମାମଲାର ଶୁଣାଣି କରି ଏହି ନୋଟିସ ଜାରି କରିଛନ୍ତି ।
ଗତ ୨ବର୍ଷ ହେବ ଏହି କଲେଜକୁ ସ୍ଥାନାନ୍ତର କରିବା ସହିତ ବନ୍ଦ ପାଇଁ ଯୋଜନା କରୁଛନ୍ତି କ୍ରୀଡ଼ା ସଚିବ ବିଶାଳ ଦେବ। ପ୍ରଥମେ ଏହାକୁ ବିନା ରାଜିନାମାରେ ପାହାଳ ନିକଟସ୍ଥ ଆପେକ୍ସ ଇନଷ୍ଟିଚ୍ୟୁଟକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ଏହି କଲେଜ ଓ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ପଡ଼ିଆ ନଥିବାରୁ ପୁଣି ଖଣ୍ଡଗିରି ନିକଟସ୍ଥ ଏନଏମ୍ ଇନଷ୍ଟିଚ୍ୟୁଟକୁ ସ୍ଥାନାନ୍ତର କରାଯାଇଥିଲା । ଏବାବଦରେ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ତେବେ ଏନଏମ ଇନଷ୍ଟିଚ୍ୟୁଟକୁ ପ୍ରାୟ ଏକ କୋଟି ଟଙ୍କାର ଭଡ଼ା ଦିଆଯିବାକୁ ନିଷ୍ପତ୍ତି ହୋଇଛି। ତେବେ ଏଭଳି ଘରୋଇ ସଂସ୍ଥା ସହ କୌଣସି ଚୁକ୍ତିନାମା କରାଯାଇନି।
ସେହିପରି ଏନସିଟିଇ ନିୟମ ଅନୁସାରେ କୌଣସି ସରକାରୀ ଶାରୀରିକ ଶିକ୍ଷା କଲେଜର ନିଜସ୍ବ କୋଠା ନଥିଲେ ସମ୍ପୃକ୍ତ କଲେଜକୁ ଆଉ ସ୍ବୀକୃତି ମିଳିବ ନାହିଁ। ତେବେ କ୍ରୀଡ଼ା ସଚିବଙ୍କ ଏଭଳି ନିଷ୍ପତ୍ତି ଯୋଗୁ ଆସନ୍ତାବର୍ଷଠୁ ଏହି କଲେଜର ସ୍ବୀକୃତି ପ୍ରତ୍ୟାହାର ହୋଇଯିବାର ଆଶଙ୍କା ରହିଛି । କଲେଜ ପାଇଁ ଷ୍ଟାଡ଼ିୟମ ପରିସରରେ ଯେଉଁ କୋଠା ରହିଛି ତାହା ଏବେ ବହୁରାଷ୍ଟ୍ରୀୟ କମ୍ପାନୀ ପାଇଁ ଉପଯୋଗ ହେଉଛି। ଅପରପକ୍ଷରେ ଏହାକୁ ବନ୍ଦ ପାଇଁ କ୍ରୀଡ଼ା ସଚିବ ଯେଉଁ ଉଦ୍ୟମ କରୁଛନ୍ତି ତାହା ବିରୋଧରେ ଓଡ଼ିଶା ଅଭିଭାବକ ମହାସଂଘ ଲୋକାୟୁକ୍ତଙ୍କ ଦ୍ବାରସ୍ଥ ହୋଇଥିଲେ । ଏହାସହ ଉଭୟ ଆଇଏଏସ ଅଫିସରଙ୍କୁ ମଧ୍ୟ ଲୋକାୟୁକ୍ତ ନୋଟିସ ମଧ୍ୟ ଜାରି କରିଛନ୍ତି।
୧୯୫୭ ମସିହାରେ ଏହି ସରକାରୀ ଶାରୀରିକ ଶିକ୍ଷା କଲେଜ ପ୍ରଥମେ ବାରବାଟୀ ଷ୍ଟାଡ଼ିୟମ ପରିସରରେ ସ୍ଥାପନ କରାଯାଇଥିଲା । ଏହାକୁ ପରବର୍ତ୍ତୀ ସମୟରେ ୧୯୯୪ ମସିହାରେ କଳିଙ୍ଗ ଷ୍ଟାଡ଼ିୟମକୁ ସ୍ଥାନାନ୍ତର କରାଯାଇଥିଲା । ଏଥିରେ ବିଭିନ୍ନ କ୍ରୀଡ଼ାରେ ଉତ୍କର୍ଷତା ଲାଭ କରିଥିବା ପିଇଟି ଶିକ୍ଷକମାନେ ଶିକ୍ଷାଗ୍ରହଣ କରିଥାନ୍ତି। ଅନ୍ୟପଟେ ଏହି କଲେଜ ପାଇଁ ଷ୍ଟାଡ଼ିୟମ ପରିସରରେ ପ୍ରାୟ ୮କୋଟି ଟଙ୍କା ବ୍ୟୟରେ ଏକ ବହୁତଳ ବିଶିଷ୍ଟ କୋଠା ମଧ୍ୟ ନିର୍ମାଣ ହୋଇଥିଲା। ଏହି କଲେଜ ମଧ୍ୟ ଜାତୀୟସ୍ତରରେ ସୁନାମ ଅର୍ଜନ କରିଛି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ