ଭୁବନେଶ୍ବର: ଲକଡାଉନର ପ୍ରଭାବରେ ରାସ୍ତା, ବଜାର ଘାଟ ସବୁ ବନ୍ଦ । ଜନ ଜୀବନ ଏକ ପ୍ରକାର ସବୁ ଠପ । ଲୋକମାନେ କରୋନାର ମୁକାବିଲା ପାଇଁ ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ଏହାର ପ୍ରଭାବ ସବୁଠି ତ ଅନୁଭୂତ ହେଉଛି । ତେଣୁ ବସ୍ତିରେ କିଭଳି ରହିଛି, ସାଧାରଣ ବସ୍ତି ବାସିନ୍ଦାଟିଏ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଟିକକ ସଂଗ୍ରହ କରିବାରେ କେତେଦୂର ସକ୍ଷମ ହେଉଛି, ଅସୁବିଧା କଣ ଏନେଇ ଆମେ ସ୍ଥିତି ପରଖିଥିଲୁ ଭୁବନେଶ୍ବରର ସାଲିଆ ସାହିରେ । ଲୋକଙ୍କ ମତ ଥିଲା ଯେ, ଲକଡାଉନର ପ୍ରଭାବରେ ସେମାନେ ସରକାରୀ ରାସନ ପାଉଛନ୍ତି ସତ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବାରେ ବହୁତ ବାଧା ଉପୁଜୁଛି । ଏପଟେ ପ୍ରଶାସନର ଯୁକ୍ତି ହେଉଛି, ବର୍ତ୍ତମାନ ପରିସ୍ଥିତିରେ ସମସ୍ତେ ବ୍ୟସ୍ତ ବିବ୍ରତ, ତେଣୁ ପ୍ରଭାବ ପଡ଼ିବା ସ୍ବାଭାବିକ ।
ସ୍ମାର୍ଟସିଟି ଭୁବନେଶ୍ବରରେ ସାଲିଆ ସାହିର କେବଳ ଭୁବନେଶ୍ବରର ନୁହେଁ, ସମଗ୍ର ରାଜ୍ୟର ସବୁଠୁ ବଡ ବସ୍ତି । ୪ଟି ୱାର୍ଡରେ ଏଠି ରୁହନ୍ତି ପ୍ରାୟ ୬୦,୦୦୦ ପରିବାର । ଏଠି ବିଭିନ୍ନ ବର୍ଗର ଲୋକ ବାସ କରନ୍ତି, ରାଜଧାନୀରେ ନିଜର ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଅନ୍ୟତ୍ର କାମ କରିବାକୁ ବାଧ୍ୟ ହୁଅନ୍ତି । କିନ୍ତୁ ଲକଡାଉନ ସମସ୍ତଙ୍କୁ ଏକପ୍ରକାର ଅସ୍ତବ୍ୟସ୍ତ କରିଦେଇଛି, ଖାସ କରି ଏଠିକାର ବାସିନ୍ଦା ମାନଙ୍କୁ ।
ସାଲିଆ ସାହି ୱାର୍ଡ ନଂ ୨୧, ନିରଂକାରୀ ନଗରର ଉମେଶ ଚନ୍ଦ୍ର ଦାଶ କହିଛନ୍ତି ଯେ, ଲକଡାଉନ ପ୍ରଭାବରେ ଘରୁ ବାହାରି ହେଉନି । ସରକାରୀ ରିଲିଫ କିଛି ମିଳୁନି । ଦୋକାନକୁ ଗଲେ ସାମଗ୍ରୀ ମିଳୁନି, ଭାରି ହଇରାଣ ହେବାକୁ ପଡୁଛି ।
ସେହିପରି ନିରଂକାରୀ ନଗରରେ ରହୁଥିବା ସାବିତ୍ରୀ ସାହୁ କହିଛନ୍ତି ଯେ, ଲକଡାଉନ ସମୟରେ ଦୋକାନକୁ ଗଲେ ସବୁ ରେଟ ଅଧିକ ରହୁଛି । ପୁଣି ଘଣ୍ଟେ ଘଣ୍ଟେ ଲାଇନରେ ଛିଡା ହେବାକୁ ପଡୁଛି । ସରକାର ରାସନ ଛଡା ଆଉ କିଛି ସାହାଯ୍ୟ କରୁନାହାନ୍ତି ବୋଲି ସେ କୁହନ୍ତି ।
ସାଲିଆ ସାହିରେ ଏମିତି ୬୦,୦୦୦ ପରିବାର ଭିତରୁ ଏ ହେଉଛି ମାତ୍ର ହାତ ଗଣତି କାହାଣୀ, କିନ୍ତୁ ଅଧିକାଂଶ କାହାଣୀ ଏମିତି, ସମସ୍ତଙ୍କୁ ଏକ ପ୍ରକାର ଅସୁବିଧା ଭିତରକୁ ଠେଲି ଦେଇଛି ଲକଡାଉନ । ଲୋକମାନେ ଲକଡାଉନ ତ ମାନୁଛନ୍ତି ହେଲେ ନିଜ ଅସୁବିଧାକୁ କାହା ପାଖରେ କହିବେ, ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ଏକ ରକମ ଅସୁବିଧା ଭିତରେ । ଏନେଇ ଖୁଚୁରା ବ୍ୟବାସାୟୀ ଲଛମନ ବେହେରାଙ୍କ କହିବା କଥା ହେଉଛି, ତାଙ୍କ ଦୋକାନ ଉପରେ ପ୍ରାୟ ୫୦୦ ପରିବାର ନିର୍ଭର କରନ୍ତି । କଣ ଦରଦାମ ବଢିଯାଇଛି । ବାହାରକୁ ବାହାରିଲେ ପୋଲିସର ଜୁଲମ, କିଛି କହିବାକୁ ସେମାନେ ସୁଯୋଗ ଦେଉନାହାଁନ୍ତି । କିଛି ବି ବାହାର ଜିନିଷ କିଣିବାକୁ ଗଲେ ୧୦ ଟଙ୍କାର ଜିନିଷକୁ ୨୦ ଟଙ୍କାରେ କିଣିବାକୁ ପଡୁଛି ଆଉ ବିକ୍ରି କଲା ବେଳକୁ ଗ୍ରାହକ ମାନେ କିଣିବାକୁ ନାରାଜ । ତେଣୁ ଆମେ ବାଧ୍ୟ ହେଉଛୁ କମ ଜିନିଷ ଆଣିବା ପାଇଁ । ଆମ ସାଲିଆ ସାହିରେ ଅଛି ପାଖାପାଖି ୨୦୦ ଛୋଟ ମୋଟ ଦୋକାନ । କିନ୍ତୁ ଆବଶ୍ୟକତା ଅନୁଯାୟୀ ସେ ସମୁଦ୍ରକୁ ଶଙ୍ଖେ । ସରକାରଙ୍କର ଡୋର ଟୁ ଡୋର ରାସନ ଏଠାକୁ ଆସୁନାହିଁ ।
ବସ୍ତି ସୁରକ୍ଷା ସମିତି କହିଛି ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଲକ ଡାଉନ ସମୟରେ ସରକାର ବ୍ୟାପକ ବ୍ୟବସ୍ଥା କରିବା କଥା , କିନ୍ତୁ କରିନାହାନ୍ତି, ପ୍ରଶାସନ ବି ଅଣଦେଖା କରୁଛନ୍ତି । ଲୋକମାନେ ହାତ ବାନ୍ଧି ବସିଛନ୍ତି, ରୋଜଗାର ନାହିଁ ତେଣୁ କ୍ରୟ କଣ କରିବେ ।
କେବଳ ସାଲିଆ ସାହିର ଏପରି ଚିତ୍ର ନୁହେଁ । ଭୁବନେଶ୍ବରରେ ଥିବା ଏମିତି ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ଛୋଟ ବଡ ବସ୍ତିର ଦୈନନ୍ଦିନ ଘଟଣା । ଏପଟେ ଷ୍ଟୋରରେ ସାମଗ୍ରୀ ମଧ୍ୟ ନାହିଁ, ତେଣୁ ଲୋକମାନେ ବାଧ୍ୟ ହେଉଛନ୍ତି ଅସୁବିଧାକୁ କେବଳ ଅନୁଭବ କରିବା ପାଇଁ, ଆଉ ଲୋକମାନଙ୍କ ପାଇଁ ଅସୁବିଧା ଦେହ ସୁହା ହୋଇଗଲାଣି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ