ଭୁବନେଶ୍ବର:ରାଜଧାନୀରେ ରୁମାଲ ପକା ଗ୍ୟାଙ୍ଗ। ରୁମାଲ ପକେଇ ଲୁଟୁଛନ୍ତି ମୋବାଇଲ ଫୋନ। ଟାର୍ଗେଟରେ ଲୁଗାଦୋକାନ ଓ ଲେଡିଜ କର୍ଣ୍ଣର। ଲେଡିଜ ଥିବା ଦୋକାନରେ ଏମାନଙ୍କ ନଜର। ନଜର ଆଢୁଆଳରେ ଲୁଟ କରି ହେଉଛନ୍ତି ଫେରାର।
ଏୟାରଫିଲ୍ଡ଼ ଓ ଲିଙ୍ଗରାଜ,ବଡଗଡ ଅଞ୍ଚଳରେ ଏମାନଙ୍କ ନାଁରେ ଗଣ୍ଡାଗଣ୍ଡା ଅଭିଯୋଗ। ସମାନ ତରିକା ସମାନ ଢ଼ଙ୍ଗରେ ରୁମାଲ ଆଢୁଆଳରେ ଦାମି ଫୋନ ନେଇ ଫେରାର। ଏମତି ଢ଼ଙ୍ଗରେ ଲୁଟପାଟ କରୁଥିବା ଏକ ଗ୍ୟାଙ୍ଗର କାରନାମା ଏବେ ସିସିଟିଭିରେ। ଯାହାକୁ ନେଇ ଅଭିଯୁକ୍ତକୁ ଧରି ଥାନାରେ ପହଞ୍ଚିଛନ୍ତି ଅଭିଯୋଗକାରୀ । ହେଲେ କୋଭିଡ ଆଢୁଆଳରେ ପୋଲିସ ଏମାନଙ୍କୁ ଛାଡିଦେଉଥିବାରୁ କମିଶନରେଟ ପୋଲିସ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ।
ସୂଚନା ମୂତାବକ, ଗତ ୮ ତାରିଖରେ ସାମନ୍ତରାପୁରରେ ଜୋତିର୍ମୟୀ ଅଗ୍ରୱାଲଙ୍କ ଲୁଗା ଦୋକାନରେ ଲୁଟେରା ଏମିତି ଲୁଟିଛନ୍ତି ମୋବାଇଲ ଫୋନ। ତିନି ଜଣ ଦୁର୍ବୃତ୍ତ ଏକ ପଲସର ଗାଡିରେ ଆସି ରୁମାଲ କିଣିବା ଆଳରେ ଦୋକାନରେ ପସିଥିଲେ । ପରେ ଆଉଜଣେ ଦୋକାନରେ ଗହଳଚହଳ କରିଥିଲା। ତେବେ ଏହି ମୌକାରେ ରୁମାଲ ଦେଖିବାବେଳେ କୌଶଳରେ ଦାମି ଫୋନ ଲୁଟିଥିଲେ ଏହି ଲୁଟେରା ଦ୍ୟାଙ୍ଗ । ତେବେ ଲୁଟେରାଙ୍କର ଏହି କାରନାମା ସିସିଟିଭିରେ କଏଦ ହୋଇଛି ।
ତେବେ କେବଳ ତାଡ଼କରି ନୁହେଁ ଏହିପରି ପ୍ରଦୀପ ମହାପାତ୍ର ନାମକ ଜଣେ ସ୍ଥାନୀୟ ଷ୍ଟେସନାରୀ ଦୋକାନରୁ ସମାନ ଢ଼ଙ୍ଗରେ ଲୁଟେରା ଲୁଟିଛନ୍ତି ଫୋନ। ଏନେଇ ସମ୍ପୃକ୍ତ ଯୁବକ ବାଦଲ ସ୍ବାଇଁ ନାମକ ଯୁବକକୁ ଲିଙ୍ଗରାଜ ଥାନାରେ ଜିମା ଦେଇଥିଲେ ମଧ୍ୟ ପୋଲିସ କୋଭିଡ଼ ଭୟରେ ଛାଡି ଦେଇଥିବା ଅଭିଯୋଗ ହୋଇଛି। ତେବେ ମହିଳାଙ୍କର ଫୋନକୁ ଲୁଟ କରିଥିବା ଅଭିଯୁକ୍ତ ଏୟାରଫିଲ୍ଡ଼ ଥାନାରେ ଫୋନ ଦେଇ ଆତ୍ମସର୍ମପଣ କରିଥିବା ବେଳେ ଏଯାବତ ଚାରିଜଣଙ୍କର ଲୁଟ ହୋଇଥିବା ମୋବାଇଲ ଫୋନ ଜବତ ହୋଇଛି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ