ଭୁବନେଶ୍ବର: 82 ବର୍ଷ ବୟସରେ ଆଜି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରୱାଲ । ବିଜେଡିର ରାଜ୍ୟ ଉପସଭାପତି ସହ ସେ ଦଳର ବହୁ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ରହିଥିଲେ । ଜଣେ ବରିଷ୍ଠ ନେତା ଭାବେ ତାଙ୍କୁ ବିରୋଧୀ ଦଳ ମଧ୍ୟ ବେଶ ସମ୍ମାନ ଦିଅନ୍ତି । ତେବେ ତାଙ୍କର ଅକାଳ ବିୟୋଗରେ ସମସ୍ତେ ମର୍ମାହତ ହେବାସହ ଦଳ ମତ ନିର୍ବିଶେଷରେ ଆସି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ବେଦପ୍ରକାଶ ଅଗ୍ରୱାଲ ଏକଦା ବିଜେପିରେ ଥିଲେ । ସେ 2000 ମସିହାରେ ବିଜେପିରୁ କେନ୍ଦ୍ରାପଡ଼ା ବିଧାୟକ ଭାବେ ଜିତି ମେଣ୍ଟ ସରକାରରେ ମନ୍ତ୍ରୀ ହୋଇଥିଲେ । ଆଜି ତାଙ୍କ ଅବର୍ତ୍ତମାନରେ ପୂରୁଣା ସ୍ମୃତି ବଖାଣିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଜଣେ ଦକ୍ଷ ଏବଂ କୁଶଳୀ ରାଜନେତାଙ୍କୁ ଆଜି ଓଡ଼ିଶାବାସୀ ହରାଇଥିବା ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।
ସେହିଭଳି ବିଜୁବାବୁଙ୍କ ସହ କାନ୍ଧକୁ କାନ୍ଧ ମିଳାଇ କେନ୍ଦ୍ରାପଡ଼ା ଜିଲ୍ଲାରେ ସଂଗଠନ ସୃଷ୍ଟି କରିବା । ସାଙ୍ଗହୋଇ ଖାଇବା ଭଳି ଘଟଣା ସବୁକୁ ବେଶ ଦୁଃଖଭରା କଣ୍ଠରେ ବଖାଣିଛନ୍ତି ବରିଷ୍ଠ ବିଜେଡି ନେତା ତଥା ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ଜଣେ ଭଦ୍ର ଲୋକ ଆଜି ଓଡ଼ିଶା ରାଜନୀତିରୁ ବିଦାୟ ନେଇଥିବା ସେ ଜଣାଇଛନ୍ତି ।
ସମାନଭାବେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ମଧ୍ୟ ଶ୍ରୀ ଅଗ୍ରୱାଲଙ୍କ ଶେଷ ଦର୍ଶନ କରିବା ଅବସରରେ ବିଜୁ ପଟ୍ଟନାୟକଙ୍କ ସହ ତାଙ୍କର ଘନିଷ୍ଠତାକୁ ବଖାଣିଛନ୍ତି । ଜିଲ୍ଲାର ବିକାଶ ଲାଗି ସେ ବହୁ କାର୍ଯ୍ୟ କରିଥିଲେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଶ୍ରୀକାନ୍ତ ।
ସେହିଭଳି କେନ୍ଦ୍ରାପଡ଼ା ରାଜନୀତିର ଭୀଷ୍ମ ପିତାମହ ଏବଂ ମୁରବୀଙ୍କୁ ଜିଲ୍ଲାବାସୀ ହରାଇଲେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ବିଜେଡି ନେତା କିଶୋର ତରାଇ ଏବଂ ତେଜେଶ୍ବର ପରିଡ଼ା । ଶ୍ରୀ ଅଗ୍ରୱାଲଙ୍କ ଆଦର୍ଶ ସର୍ବଦା ଅନ୍ୟମାନଙ୍କୁ ପ୍ରେରଣା ଦେବ ବୋଲି ସେମାନେ ଜଣାଇଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ ଓ ତପନ ଦାସ, ଇଟିଭି ଭାରତ