ଭୁବନେଶ୍ବର: କ୍ରମାଗତ ଦ୍ବିତୀୟ ଦିନରେ ଉପାସରେ ପ୍ରଭୁ ଲିଙ୍ଗରାଜ । 2 ଦିନ ହେଲାଣି ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି । ବଡୁ ନିଯୋଗ ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ଉପୁଜିଥିବା ବିବାଦ ସମାଧାନ ନହେବାରୁ ନିଜ ଜିଦ୍ରେ ଅଡି ବସିଛନ୍ତି ଉଭୟ ସେବାୟତ । ଫଳରେ ଆଜିବି ମନ୍ଦିରରେ ନୀତିକାନ୍ତି ବନ୍ଦ ରହିଛି ।
ଗଙ୍ଗୁଆ କେନାଲ ନୂଆଗାଁ ମୌଉଜାରେ ପ୍ରଭୁ ଲିଙ୍ଗରାଜଙ୍କ ଜମିକୁ ଜବର ଦଖଲ କରାଯାଇଛି । ବଡୁ ନିଯୋଗ ଜମିକୁ ଜବର ଦଖଲ କରି ଦୋକାନ ଘର ନିର୍ମାଣ କରୁଛି । ଯାହାକୁ ବିରୋଧ କରିଛନ୍ତି ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ । ଉଭୟ ସେବାୟତ ମନ୍ଦିର କାର୍ଯ୍ୟରୁ ନିବୃତ ଅଛନ୍ତି । ଫଳରେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି । ତେବେ କେବଳ ପ୍ରଭୁ ଲିଙ୍ଗରାଜ ଉପାସରେ ନାହାନ୍ତି ଶ୍ରଦ୍ଧାଳୁ ମଧ୍ୟ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।
ଅନ୍ୟପଟେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ଘଟଣାକୁ ନେଇ ଦେବତ୍ତୋର କମିଶନରଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବଡ ନିଯୋଗର ସମ୍ପାଦକ କମଳାକାନ୍ତ ବଡୁ ,ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ ଯୋଗ ଦେଇଥିବା ବେଳେ ବିଳମ୍ବରେ ପହଞ୍ଚିଥିଲେ ବ୍ରାହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ନାରାୟଣ ପତି ଓ ସଚ୍ଚିକାନ୍ତ ପୂଜା ପଣ୍ଡା ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ