ଭୁବନେଶ୍ବର: ଏକାମ୍ର କ୍ଷେତ୍ର ପାଇଁ ଐତିହ୍ୟ ବାଇ ଲ' ପ୍ରସ୍ତାବ ପ୍ରସଙ୍ଗ । ବାଇ ଲ' ପ୍ରତ୍ୟାହାର ଦାବିରେ କେନ୍ଦ୍ରକୁ ମୁଖ୍ୟ ଶାସନ ସଚିବଙ୍କ ଚିଠି । କେନ୍ଦ୍ର ସଂସ୍କୃତି ସଚିବଙ୍କୁ ଚିଠି ଲେଖିଲେ ସୁରେଶ ମହାପାତ୍ର ।
ଏକାମ୍ର କ୍ଷେତ୍ରରେ ବଳବତ୍ତର ରହିଥିବା ବାଇ-ଲ ପ୍ରତ୍ୟାହାର ଦାବି କରିଛନ୍ତି ରାଜ୍ୟ ସରକାର । ବାଇ-ଲ ପ୍ରତ୍ୟାହାର ଦାବି କରି କେନ୍ଦ୍ର ସଂସ୍କୃତି ସଚିବଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ । କେନ୍ଦ୍ର ସଂସ୍କୃତି ସଚିବ ରାଘବେନ୍ଦ୍ର ସିଂଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର । ବାବା ଲିଙ୍ଗରାଜ କ୍ଷେତ୍ରରୁ ତୁରନ୍ତ ଏନଏମଏ ପକ୍ଷରୁ ପ୍ରସ୍ତାବିତ ବାଇ-ଲ ଡ୍ରାଫ୍ଟ ବିଜ୍ଞପ୍ତି ପ୍ରତ୍ୟାହାର କରି ନେବାକୁ ଦାବି କରିଛନ୍ତି ସୁରେଶ ।
ଜଗନ୍ନାଥ ମନ୍ଦିର ପୁରୀ ଏବଂ ଅନନ୍ତ ବସୁଦେବ ଏବଂ ଭୁବନେଶ୍ବରର ଏକାମ୍ର କ୍ଷେତ୍ରର ବ୍ରହ୍ମେଶ୍ବର ମନ୍ଦିର ପାଇଁ ଏନଏମଏ ବାଇ-ଲଡ୍ରାଫ୍ଟ ବିଜ୍ଞପ୍ତି ପ୍ରକାଶ କରିଥିଲା । ରାଜ୍ୟ ସରକାର, ସେବାୟତ, ଭକ୍ତ, ଲୋକ ପ୍ରତିନିଧୀଙ୍କ ମଧ୍ୟରେ ଭୀଷଣ ଅସନ୍ତୋଷ ଦେଖା ଦେଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ବାଇ-ଲ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ଏଥି ସହ ବିଜେପି ଓ ବିଜେଡି ସାଂସଦ ମାନେ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ବାଇ-ଲ ପ୍ରତ୍ୟାହାର କରିବାକୁ ଦାବି ଜଣାଇଥିଲେ ।
ଏହାକୁ ଦୃଷ୍ଟିରେ ରଖି ଜଗନ୍ନାଥ ମନ୍ଦିର, ପୁରୀ ସମ୍ବନ୍ଧୀୟ ହେରିଟେଜ ବାଇ-ଲକୁ ଏନଏମ ପ୍ରତ୍ୟାହାର କରିନେଇଥିଲେ । ତଥାପି, ଏକାମ୍ର କ୍ଷେତ୍ର ମନ୍ଦିର ସମ୍ବନ୍ଧୀୟ ଡ୍ରାଫ୍ଟ ବିଜ୍ଞପ୍ତି ବର୍ତ୍ତମାନ ମଧ୍ୟ ବଳବତ୍ତର ରହିଛି । ଯାହା ସେବାୟତ, ଭକ୍ତଙ୍କ ପାଇଁ କଷ୍ଟ ସୃଷ୍ଟି କରୁଛି । ମନ୍ଦିର ଟ୍ରଷ୍ଟ ବୋର୍ଡ ଏବଂ ଏଣ୍ଡୋମେଣ୍ଟ କମିଶନର ସଦସ୍ୟ ସଚିବ, ଏନଏମଏକୁ ଏକାମ୍ର କ୍ଷେତ୍ର ସମ୍ବନ୍ଧୀୟ ଡ୍ରାଫ୍ଟ ବିଜ୍ଞପ୍ତି ତୁରନ୍ତ ପ୍ରତ୍ୟାହାର ପାଇଁ ଲେଖିଛନ୍ତି ।
ଏହି ଡ୍ରାଫ୍ଟ ବିଜ୍ଞପ୍ତିଗୁଡିକ ପ୍ରତ୍ୟାହାର ନକରିବା ନେଇ ବାରମ୍ବାର ଆନ୍ଦୋଳନ ଚାଲିଛି । ଅଗାମୀ ଦିନରେ ଗୁରୁତର ଆଶଙ୍କା ରହିଛି ଯେ ଏହା ବ୍ୟାପକ ଆନ୍ଦୋଳନ ଘଟାଇବ । କାରଣ ମନ୍ଦିରଗୁଡ଼ିକର ଧାର୍ମିକ ରୀତିନୀତିକୁ ପ୍ରଭାବିତ କରିବ । ଆସନ୍ତା ମାର୍ଚ୍ଚ 11 ତାରିଖ ମହା ଶିବରାତ୍ରୀ ଅନୁଷ୍ଠିତ ହେବ । ଏହି ବାର୍ଷିକ ମହା ଶିବରାତ୍ରୀ ମହୋତ୍ସବ ଆୟୋଜନ ପାଇଁ ଏକ ଶାନ୍ତିପୂର୍ଣ୍ଣ ବାତାବରଣ ଏବଂ ସେବାୟତଙ୍କର ସମ୍ପୂର୍ଣ୍ଣ ସହଯୋଗ ହେବା ଜରୁରୀ ଅଟେ । ରାଜ୍ୟର ଲକ୍ଷ ଲକ୍ଷ ଭକ୍ତ ଅଂଶଗ୍ରହଣ କରନ୍ତି । ଏହାକୁ ଦୃଷ୍ଟିରେ ରଖି ଉପରୋକ୍ତ ମନ୍ଦିରଗୁଡିକ ସମ୍ବନ୍ଧୀୟ ବାଇ-ଲ ତୁରନ୍ତ ପ୍ରତ୍ୟାହାର କରିନେବାକୁ ସୁରେଶ ଦାବି କରିଛନ୍ତି ।
ଭବାନୀଶଙ୍କର ଦାସ, ଇଟିଭି ଭାରତ