ଭୁବନେଶ୍ବର: ଠକେଇ ଅଭିଯୋଗରେ ବନ୍ଧା ହେଲେ ରାଜଧାନୀର ଏକ ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜର ଲେଡି ଆକାଉଣ୍ଟାଣ୍ଟ । ପିଲାଙ୍କ ଟିଉସନ ଫି ଆଦାୟ ପରେ ନିଜ ବୟଫ୍ରେଣ୍ଡ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିବା ଖୁଲାସା କରିଛି କମିଶନରେଟ ପୋଲିସ । ବାହାନା କରି ୪୨୦ ଆକାଉଣ୍ଟାଣ୍ଟ ଜଣକ ପ୍ରାୟ ୯୭ ଲକ୍ଷ ଟଙ୍କା ହଡପ କରିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଅଞ୍ଚଳରେ ଥିବା ଏକ ଘରୋଇ କଲେଜରେ ପିଲାଙ୍କ ଟିଉସନ ଫିକୁ ହଡପ କରିଛନ୍ତି ସେହି କଲେଜର ଆକାଉଣ୍ଟାଣ୍ଟ । ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ କଲେଜରେ ପଢୁଥିବା ପିଲାମାନଙ୍କ ପାଖକୁ ଫି ଦାଖଲ ପାଇଁ ନୋଟିସ ଯାଇଥିଲା । ଅନେକ ପିଲା ତାଙ୍କର ଫି ପୁରା ପୈଠ କରିଦେଥିବା ରସିଦ କଲେଜରେ ଦେଖାଇଥିଲେ । ଏହାପରେ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଥିଲା ।
ତମାଣ୍ଡୋ ଥାନା ପୋଲିସ, ତଦନ୍ତ ବେଳେ ସେହି କଲେଜର ଆକାଉଣ୍ଟାଣ୍ଟ ପାୟଲ ମହାପାତ୍ର ଟଙ୍କା ହଡପ କରୁଥିବା ଜାଣିବାକୁ ପାଇଥିଲା । ସବୁଠୁ ବଡ କଥା ହେଉଛି ଆକାଉଣ୍ଟାଣ୍ଟ ସେହି ଟଙ୍କାକୁ ନିଜ ବୟଫ୍ରେଣ୍ଡଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଉଥିଲେ । ଅର୍ଥ ଠକେଇ ଅଭିଯୋଗରେ ପୋଲିସ ଆଜି(ଶୁକ୍ରବାର) ସମ୍ପୃକ୍ତ ଯୁବତୀଙ୍କୁ ଗିରଫ କରିଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ