ଭୁବନେଶ୍ବର: ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ଅନୁଷ୍ଠିତ ହେବ ଓ ୨୬ରେ ଭୋଟ ଗଣତି ହେବ । ବିଏମସିରେ ମୋଟ୍ 705ଟି ବୁଥ୍ । ଭୁବନେଶ୍ବର ମହାନଗର ନିଗମରେ ୬୭ଟି ୱାର୍ଡ ପାଇଁ ୭୦୫ଟି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯିବ । ସେଥିମଧ୍ୟରୁ 5ଟି ଗୋଲାପି ବା ପିଙ୍କ ବୁଥ୍ ରହିଛି । ଯାହା କେବଳ ମହିଳା ଭୋଟରଙ୍କ ପାଇଁ ଉଦ୍ଦିଷ୍ଟ । ପ୍ରତି ଗୋଲାପୀ ବୁଥରେ ପ୍ରିଜାଇଡିଂ ଅଧିକାରୀଙ୍କ ସମେତ ୫ ଜଣ ମହିଳା ପୋଲିଂ କର୍ମଚାରୀ ରହିବେ । ପ୍ରତି ବୁଥରେ ମେୟର ପ୍ରାର୍ଥୀ ପାଇଁ ଗୋଟିଏ ଲେଖାଏଁ ଓ କର୍ପୋରେଟର ପ୍ରାର୍ଥୀ ପାଇଁ ଗୋଟିଏ ଲେଖାଏଁ ଅଲଗା ଅଲଗା ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ୍ ବ୍ୟବହୃତ ହେବ । ନିୟମାନୁସାରେ ଜରୁରୀସେବା ପାଇଁ ୨୫ ପ୍ରତିଶତ ଭୋଟିଂ ମେସିନକୁ ମିଶାଇଲେ ୭୦୫ ଟି ମତଦାନ କେନ୍ଦ୍ର ପାଇଁ ଉଭୟ ମେୟର ଓ କର୍ପୋରେଟର ପାଇଁ ମୋଟ ୧୬୬୩ଟି ବ୍ୟାଲଟ ୟୁନିଟ୍ ଓ ୧୭୬୩ଟି କଣ୍ଟ୍ରାଲ ୟୁନିଟ୍ ବ୍ୟବହୃତ ହେବ ।
ମତଦାନ ସକାଳ ୮ରୁ ସଂଧ୍ୟା ୫ଟା ଯାଏଁ ଚାଲିବ । ୨୩ ତାରିଖରେ ପ୍ରିଜାଇଡିଂ ଅଫିସରଙ୍କ ସମେତ ପ୍ରତି ଗ୍ରୁପରେ ପ୍ରଥମ ପୁରିଂ ଅଫିସର, ୨ୟ ପୁଲିଂ ଅଧିକାରୀ, ୩୩, ୪ ପୋଲିଂ ଅକାଳୀ ଓ ପୋଲିସ୍ କନଷ୍ଟେବଳଙ୍କୁ ମିଶାଇ ମୋଟ ୫ଜଣିଆ ଟିମ୍ ଯିବେ । ବିଜେବି ସ୍ବୟଂ ଶାସିତ ମହାବିଦ୍ୟାଳୟ ନୂଆ ଆର୍ଟସ୍ ବୁଥରୁ ପୁଲିଂ ଅଧିକାରୀମାନେ ମାର୍ଚ୍ଚ ୨୩ ତାରିଖରେ ବିଏମସିର ବିଭିନ୍ନ ବୁଥ୍ କୁ ମତଦାନ ଗ୍ରହଣ ପାଇଁ ଯିବେ ଓ ୨୪ ରେ ଭୋଟ ଗ୍ରହଣ ପରେ ଫେରିବେ । ଭୁବନେଶ୍ବର ବିଜେବି ସ୍ବୟଂ ଶାସିତ ମହାବିଦ୍ୟାଳୟ ଆର୍ଟସ୍ ବ୍ଲକ ଠାରେ ଷ୍ଟ୍ରଙ୍ଗରୁମ୍ କରାଯାଇଛି। ଷ୍ଟ୍ରଙ୍ଗ ରୁମ୍ ସୁରକ୍ଷା ବ୍ୟବସ୍ଥାକୁ ବି.ଏମ୍.ସିର ବରିଷ୍ଠ ଅଧିକାରୀମାନେ ତଦାରଖ କରିଛନ୍ତି । ସେଥିରେ ଥିବା ଝରକାକୁ ସିଲ୍ କରାଯାଇଛି । ଷ୍ଟ୍ରଙ୍ଗରୁମ୍ କମିଶନ ଠାରୁ ଭୋଟ ଗଣତି ଶେଷ ପର୍ଯ୍ୟନ୍ତ ସିସିଟିଭି ନଜରରେ ରହିବ । ପ୍ରାର୍ଥୀମାନଙ୍କର ପ୍ରତିନିଧିମାନେ ମଧ୍ୟ ଷ୍ଟ୍ରଙ୍ଗରୁମ୍ ସମ୍ମୁଖରେ ନିର୍ବାରିତ ସ୍ଥାନରୁ ଷ୍ଟ୍ରଙ୍ଗରୁମ୍ କୁ ସିସିଟିଭି ମାଧ୍ୟମରେ ଦେଖି ପାରିବେ । ପ୍ରାର୍ଥୀମାନେ ସରକାରୀ ରାସ୍ତା, କୋଠା, ବିଦ୍ୟୁତ୍ ଖୁଣ୍ଟ ଆଦିରେ ପ୍ରଚାର ପତ୍ର, ପୋଷ୍ଟର ବ୍ୟାନର ଆଦି ଲଗାଇ ପାରିବେ ନାହିଁ । କେବଳ ଘରୋଇ ସ୍ଥାନରେ ଘର ମାଲିକଙ୍କ ଅନୁମତି ବା ସହମତିରେ ପ୍ରାର୍ଥୀମାନେ ଏସବୁ ଲଗାଇ ପାରିବେ ନାହିଁ ।
ଭୁବନେଶ୍ବର ମହାନଗର ନିଗମ ସାଧାରଣ ନିର୍ବାଚନକୁ ଅବାଧ, ମୁକ୍ତ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିତ କରାଯିବା ପାଇଁ ବିଭିନ୍ନ ରାଜନୈତିକ ଦଳର ସଦସ୍ୟ ତଥା ପ୍ରତିନିଧିମାନଙ୍କ ସହିତ ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସଂଗ୍ରାମ କେଶରୀ ମହାପାତ୍ର ଅନୁଷ୍ଠିତ ଏକ ବୈଠକରେ ଆଲୋଚନା କରିଛନ୍ତି ।
ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନାମା ଅନୁସାରେ ଶୃଙ୍ଖଳିତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧ ଅନୁପାଳନ ସଂପର୍କରେ ସମସ୍ତଙ୍କୁ ଅବଗତ କରାଯାଇଛି । ବୈଠକରେ ବି.ଏମ.ସି ସାଧାରଣ ନିର୍ବାଚନ ପାଇଁ ନିଯୁକ୍ତ ନିର୍ବାଚନ ପର୍ଯ୍ୟବେକ୍ଷକ ଇନ୍ଦ୍ରମଣି ତ୍ରିପାଠୀ, ଭୁବନେଶ୍ବର ମହାନଗର ନିଗମ ସାଧାରଣ ନିର୍ବାଚନ ପାଇଁ ନିଯୁକ୍ତ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ, ଖୋର୍ଦ୍ଧା ତଥା ପୌର ନିର୍ବାଚନ ନିମନ୍ତେ ନିୟୋଜିତ ଜିଲ୍ଲା ନୋଡାଲ ଅଧିକାରୀ ମନୋଜ କୁମାର ପାଢୀ, ଅତିରିକ୍ତ ଡିସିପି, ଭୁବନେଶ୍ବର ପ୍ରକାଶ ଚନ୍ଦ୍ର ପାଲ, ବି.ଏମ୍.ସି ଅତିରିକ୍ତ କମିଶନର ବିନୟ ଦାସ ଓ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
ମତଦାନ କେନ୍ଦ୍ରର ୧୦୦ ମିଟର ଭିତରେ କୌଣସି ପ୍ରାର୍ଥୀଙ୍କର ପ୍ରଚାର ପତ୍ର ବା ବ୍ୟାନର ଇତ୍ୟାଦି ଲଗାଇବେ ନାହିଁ । ନିର୍ବାଚନ ଆଚରଣ ବିଧି ଅନୁପାଳନ କରିବା ପାଇଁ ସରକାରୀ ସ୍ଥାନରେ ଏସବୁ ଲଗାଯାଇଥିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ BMCରେ ୩ଟି ଟିମ୍ ଗଠନ କରାଯାଇଛି । ବହୁ ସରକାରୀ ସ୍ଥାନରେ ଏସବୁ ଲାଗିଥିବା ଓ ଏହାକୁ କଢା ଯାଇନଥିବା ସଂପର୍କରେ କେତେଳ ପ୍ରାର୍ଥୀ ବୈଠକରେ ଦୃଷ୍ଟି ଆକର୍ଷଣ କରିବାରୁ ଏହାକୁ ଅଧିକ ବ୍ୟାପକ କରିବାକୁ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ଶୃଙ୍ଖଳିତ ନିର୍ବାଚନ ପାଇଁ ମୋବାଇଲ୍ ପୋଲିସ୍ ଟିମ୍ ଗଠନ କରାଯାଇଛି । ଏହି ଟିମ ନିର୍ବାଚନ ପ୍ରକ୍ରିୟା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ ଅଞ୍ଚଳ ଗସ୍ତ କରି ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ତଦାରଖ କରିବେ । ପୂର୍ବରୁ ରାଜନୈତିକ ହିଂସା, ଗଣ୍ଡଗୋଳ ଓ ଅପରାଧରେ କଳିତ ଥିବା ବ୍ୟକ୍ତିଙ୍କ ଉପରେ ଡିସିପିଙ୍କ ତରଫରୁ କଡା ନଜର ରହିବ । ଏଣୁ ସମସ୍ତ ପ୍ରାର୍ଥୀ, ରାଜନୈତିକ ଦଳ ଓ ଭୋଟରମାନେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନରେ ସହଯୋଗ ପୂର୍ବକ ମୁକ୍ତ ଅବାଧ, ନିରପେକ୍ଷ ନିର୍ବାଚନ କରି ଭୁବନେଶ୍ବର ମହାନଗର ନିଗମରେ ଗଣତନ୍ତ୍ରର ସୁନାମ ଆଣିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ ।
ବିଏମସି ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ତ୍ରିପାଠୀ ଉପସ୍ଥିତ ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀ, ପ୍ରତିନିଧିଙ୍କୁ ନିର୍ବାଚନ ଆଦର୍ଶ ଆଚରଣ ବିଧି ସଂପର୍କରେ ଅବଗତ କରାଇ ନିର୍ବାଚନ ସମୟରେ କୁସଂସ୍କାରାତ୍ମକ ପ୍ରଚାରକୁ ନିବୃତ୍ତ ରହିବା, ଜାତି, ଧର୍ମ ଓ ବ୍ୟକ୍ତିଗତ ଆକ୍ଷେପରୁ ଦୂରରେ ରହିବା ଓ ସରକାରୀ ଅନୁଷ୍ଠାନ ମାନଙ୍କରେ ପ୍ରଚାର ପତ୍ର ନ କରିବା ଉପରେ ଗୁରୁତ୍ବାରୋପ କରି ଏ ଦିଗରେ ସମସ୍ତେ ସଚେତନ ହେବା ଉପରେ ଗୁରୁତ୍ବାରୋପ କରିଥିଲେ । ନିର୍ବାଚନ ପାଇଁ ଏକ ହ୍ବାଟସ ଆପ୍ ନଂ-୮୧୪୪୫୩୭୭୯୨ ପ୍ରଶାସନ ତରଫରୁ ଖୋଲାଯାଇଛି ଏବଂ ଲ୍ୟାଣ୍ଡ ଲାଇନ୍ ନଂ- ୦୬୭୪-୨୯ ୧୩୪୪୦ କାର୍ଯ୍ୟ କରୁଛି । ଏହା ସହିତ ଡିସିପିଙ୍କ ପୋଲିସ କଣ୍ଟ୍ରୋଲ୍ ରୁମ୍ ଟେଲିଫୋନ୍ ନଂ- ୮୦୯୩୦ ୨୮୧୦୭ କାର୍ଯ୍ୟ କରୁଛି । ଆଜି(ଗୁରୁବାର) ଠାରୁ ଷ୍ଟ୍ରଙ୍ଗ ରୁମର ପରିଚାଳନା ଆରମ୍ଭ ହେବ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ