ଭୁବନେଶ୍ବର: ଚର୍ଚ୍ଚାରେ ରହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଦାୟିତ୍ୱ ନେବାର କିଛିଦିନ ମଧ୍ୟରେ ଚର୍ଚ୍ଚାକୁ ଆସିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ସଂଗ୍ରାମ କେଶରୀ ମହାପାତ୍ର । ଦୁର୍ନୀତି ବିରୋଧରେ କଡ଼ା ଆଭିମୁଖ୍ୟ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି । ଦୁର୍ନୀତି ବିରୋଧରେ ଜିଲ୍ଲାପାଳଙ୍କ ସ୍ପଷ୍ଟ ଆଭିମୁଖ୍ୟ ନେଇ ଜିଲ୍ଲାବାସୀ ଖୁସି ପ୍ରକଟ କରିଛନ୍ତି । ସେପଟେ ଅସାଧୁ ଅଧିକାରୀ ଓ ବ୍ୟକ୍ତିଙ୍କ ମହଲରେ ଜିଲ୍ଲାପାଳଙ୍କୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି ।
ଦୁର୍ନୀତି ଓ ଦୁର୍ନୀତିଖୋର୍ ସରକାରୀ ଅଧିକାରୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ପୋଷଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର । ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସ ନୀତି ଅପଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁ ଅଧିକାରୀଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ଆସିଲା ତାଙ୍କ ଉପରେ କଡ଼ା ଆକ୍ସନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ଆଉ ପାଦେ ଆଗେଇ ନେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ।
କଥାରେ ଅଛି, କାହାକୁ ଉପଦେଶ ଦେବା ପୂର୍ବରୁ ନିଜକୁ ମାର୍ଜିତ ଓ ସଚେତନ କରିବାର ଆବଶ୍ୟକତା ରହିଛି । ଫଳରେ ଅନ୍ୟମାନେ ତୁମକୁ ଅନୁକରଣ କରିବେ । ଠିକ ଏହିପରି କିଛି ଦିଗଦର୍ଶନ ଦେଉଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କବାଟରେ ଲେଖା ଯାଇଥିବା ବାର୍ତ୍ତାଟି ଠିକ ସେପରି କଥା କହୁଛି । ବାର୍ତ୍ତାରେ ଲେଖାଯାଇଛି, No Gifts Are Allowed । ଅର୍ଥାତ କୌଣସି ପ୍ରକାର ଉପହାର ପ୍ରବେଶ ନିଷେଧ । ଦୁର୍ନୀତି ବିରୋଧରେ ଏହି ବାର୍ତ୍ତାଟି ଜିଲ୍ଲାପାଳଙ୍କ ମାନସିକତାକୁ ଦର୍ଶାଉଛି । ଜଗତସିଂହପୁରରେ ଜିଲ୍ଲାପାଳ ଥିବା ସମୟରେ ଠିକ ଏପରି ଆଭିମୁଖ୍ୟ ନେଇ ବେଶ ଚର୍ଚ୍ଚାରେ ଥିଲେ ସଂଗ୍ରାମ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ