ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଓଡିଶା ଯାତ୍ରାର ମହାସମର । ଖଣ୍ଡଗିରି ଯାତ୍ରା ମହୋତ୍ସବ । ଏଥିପାଇଁ ଆୟୋଜକଙ୍କ ଦ୍ବାରା ସମସ୍ତ ପ୍ରସ୍ତୁତି ଚୂଡାନ୍ତ ରୁପ ନେଇ ସାରିଥିବା ବେଳେ ପେଣ୍ଡାଲରେ ଲାଇଟ, ସାଉଣ୍ଡ ଓ ମ୍ୟୁଜିକ ସହିତ କଳାକାରଙ୍କ କଣ୍ଠରୁ ସଂଳାପର ସ୍ବର ଶୁଣିବାକୁ ଅପେକ୍ଷା । ଯାହାକି ରାତ୍ରିର ନିର୍ଜନତା ଦୂର କରି କଳାପ୍ରେମୀ ଦର୍ଶକଙ୍କ ମନର ଉଦ୍ୟାନକୁ ରୋମାଞ୍ଚରେ ଭରି ଦେବ ।
ସେଥିପାଇଁ ଏଠାରେ ଥିବା ସାତଟି ପେଣ୍ଡାଲ ମଧ୍ୟରୁ ସୁରକ୍ଷା ଦୃଷ୍ଟି କୋଣକୁ ବିଚାରକୁ ନେଇ ସ୍ଥାନୀୟ ପ୍ରଶାସନ 6ଟି ମଣ୍ଡପରେ ନାଟକ ପରିବେଷଣ ପାଇଁ ମଞ୍ଜୁରୀ ଦେଇଛି । ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଦୁଇଟି ମଣ୍ଡପ ସନାତନ ସେବାସଦନ ଓ ମା ମଙ୍ଗଳା ନାଟ୍ୟ ସଂସଦର ମଣ୍ଡପରେ ଆଜି ଯଥାକ୍ରମେ କୋଣାର୍କ ଓ କଳିଙ୍ଗ ଗଣନାଟ୍ୟ ତାଙ୍କର ନାଟକ ମଞ୍ଚସ୍ଥ କରିବେ ।
ପରବର୍ତ୍ତୀ ପର୍ଯ୍ୟାୟରେ ଯଥା ଗୁରୁବାର ମହତାବ ପେଣ୍ଡାଲ ଓ ମା ମଙ୍ଗଳା ସାଂସ୍କୃତିକ ପରିଷଦ ଠାରେ ଯାତ୍ରା ମାୟା ନଗରୀ ଓ ଯାତ୍ରା ସ୍ବପ୍ନ ମହଲ 9 ତାରିଖ ପର୍ଯ୍ୟନ୍ତ ନାଟକ ପରିବେଷଣ କରିବେ । ପରେ ଜୟ ଦୁର୍ଗା ସାଂସ୍କୃତିକ ପରିଷଦ ଓ ଜାଗମରା ମେଳଣ ପଡିଆ ଠାରେ 10 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ଯଥାକ୍ରମେ ଅପେରା ସୂର୍ଯ୍ୟ ମନ୍ଦିର ଓ ରାଜଧାନୀ ଅପେରା କଳାପ୍ରେମୀ ଦର୍ଶକଙ୍କ ନିକଟରେ ସେମାନଙ୍କ କଳାନୈପୁଣ୍ୟ ପ୍ରଦର୍ଶନ କରିବେ ।
ଏହାରି ମଧ୍ୟରେ ସନାତନ ସେବା ସଦନରେ 8 ରୁ 11 ତାରିଖ ଯାତ୍ରା ଇନ୍ଦ୍ରଭୁବନ ଓ 12 ରୁ 16 ଧଉଳି ଗଣନାଟ୍ୟ ଯୋଗ ଦେଇ ଦର୍ଶକଙ୍କୁ ମତୁଆଲା କରିବେ । ସେହିପରି ମହତାବ ପେଣ୍ଡାଲରେ 10 ରୁ 13 ତୁଳସୀ ଗଣନାଟ୍ୟ ଏବଂ 14 ରୁ 16 ସ୍ବର୍ଣ୍ଣ ମହଲ ଆସିବାକୁ ଥିବାବେଳେ ମା ମଙ୍ଗଳା ସାଂସ୍କୃତିକ ପରିଷଦ ମଣ୍ଡପରେ ପରବର୍ତ୍ତୀ ପର୍ଯ୍ୟାୟରେ 10 ରୁ 16 ପର୍ଯ୍ୟନ୍ତ ଯାତ୍ରା ରଙ୍ଗ ମହଲ ଯୋଗ ଦେବ ବୋଲି ଜଣାପଡିଛି ।
ତେବେ ଯାତ୍ରା ରେ ସର୍ବଦା ଅଶ୍ଲୀଳତାକୁ ନେଇ ଚର୍ଚ୍ଚା ହେଉଥିବା ଓ ଗତବର୍ଷ ର ଯାତ୍ରା ମଞ୍ଚରେ ଅଶ୍ଲୀଳତାର ସୀମା ଉଲ୍ଲଂଘନ ହେବା ପରେ ଏଥର ପ୍ରଶାସନ କଡା ନିର୍ଦ୍ଦେଶ ଯୋଗୁଁ ଯାତ୍ରା ଆୟୋଜକ ମାନେ ମଞ୍ଚରେ କୌଣସି ପ୍ରକାର ଅଶ୍ଳୀଳ ପ୍ରଦର୍ଶନକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି । ତେଣୁ ସେମାନେ ଯାତ୍ରା ପରିଚାଳକଙ୍କୁ ଏ ବାବଦରେ ଆଗରୁ ଜଣାଇବା ସହିତ ପ୍ରଶାସନ ନିକଟରେ ଏଭଳି ନ ହେବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି । କାରଣ ଯାତ୍ରା ସପରିବାରର ମନୋରଞ୍ଜନ ପାଇଁ ହୋଇଥିବାରୁ ଏହାକୁ ଅନ୍ୟ ଉପାୟରେ କିପରି ମନୋରଞ୍ଜନ ଦିଆଯାଇ ପାରିବ ସେନେଇ ଯାତ୍ରା କଳାକାର ମାନେ ଦୃଷ୍ଟି ଦେଉଥିବା ଜଣାଯାଇଛି ।
ଦୀର୍ଘ 12 ଦିନ ଧରି ଚାଲିବାକୁ ଥିବା ଏହି ମହାସମର ପାଇଁ ଉଦ୍ୟୋକ୍ତାମାନେ ଦର୍ଶକମାନଙ୍କ ସୁବିଧା ପାଇଁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରୁଥିବାବେଳେ ପୋଲିସ ପ୍ରଶାସନ ପକ୍ଷରୁ ଏଥିପାଇଁ ହେବାକୁ ଥିବା ଭିଡ଼ ନିୟନ୍ତ୍ରଣ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ