ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ 3 ଜଣିଆ ଡାକ୍ତରୀ ଟିମ କ୍ୟାପିଟାଲ ହସ୍ପିଟାଲ ତଦାରଖ କରିଛନ୍ତି । ହସ୍ପିଟାଲର ସ୍ଵଚ୍ଛତା କାର୍ଯ୍ୟ ଦକ୍ଷତା ଓ ରୋଗୀ ସେବାକୁ ଦୃଷ୍ଟିରେ ରଖି ସ୍ଥିତି ପରଖିଛି କାୟକଳ୍ପ ଟିମ । ଅନ୍ୟପଟେ ଗତ ସପ୍ତାହରେ ପିଜିଆଇ ପାଇଁ ପ୍ରଶାସନିକ ମଞ୍ଜୁରୀ ମିଳିଥିବା ବେଳେ ପ୍ରାରମ୍ଭିକ ସମୟରେ କାର୍ଯ୍ୟ ଆରମ୍ଭ ହୋଇଛି ।
ହସ୍ପିଟାଲର ବିଭିନ୍ନ ୱାର୍ଡ ବୁଲିବା ସହ ହସ୍ପିଟାଲର ରୋଗୀଙ୍କ ରେକର୍ଡ ଯାଞ୍ଚ କରାଯାଇଛି । ଶୁକ୍ରବାର ସକାଳୁ ସନ୍ଧ୍ୟା ସମୟ ପର୍ଯ୍ୟନ୍ତ ଦୀର୍ଘ ସମୟ ଧରି ହସ୍ପିଟାଲରେ ରହି ୱାର୍ଡ ଓପିଡ଼ି ବୁଲିଥିଲେ ଡାକ୍ତରୀ ଦଳ । ଯାହା ରିପୋର୍ଟ କରିବେ ସେ ଅନୁସାରେ ହସ୍ପିଟାଲକୁ ପୁରସ୍କାର ମଧ୍ୟ ମିଳିବ।
ସୂଚନା ଅନୁଯାୟୀ କ୍ୟାପିଟାଲ ହସ୍ପିଟାଲକୁ 2017 ମସିହାରେ କାୟକଳ୍ପରେ ପ୍ରଥମ ପୁରସ୍କାର ମିଳିଥିଲା । କିନ୍ତୁ ଚଳିତ ବର୍ଷ ପୁଣିଥରେ ପ୍ରଥମ ପୁରସ୍କାର ପାଇଁ ହସ୍ପିଟାଲ ସଫାସୁତରା କରିଥିଲେ କର୍ତ୍ତୃପକ୍ଷ। ହସ୍ପିଟାଲ ବାହାରେ କୌଣସି ନୋ ପାର୍କିଂ ଜୋନ୍ରେ ଗାଡି ନଥିବାବେଳେ ହସ୍ପିଟାଲର ପରିସର ଓ ୱାର୍ଡକୁ ମଧ୍ୟ ପରିଷ୍କାର ପରିଚ୍ଛନତା କରିଥିଲେ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ