ଭୁବନେଶ୍ବର: ପୂର୍ବତଟ ରେଳପଥର ରେଳବାଇ ସୁରକ୍ଷା ବଳ ନୂତନ ପ୍ରମୁଖ ନିରାପତ୍ତା ଆୟୁକ୍ତ ଭାବେ ଯୁଗଳ କିଶୋର ଯୋଶୀ ଯୋଗଦାନ କରିଛନ୍ତି । ସେ ୧୯୯୭ ମସିହା ଭାରତୀୟ ରେଳବାଇ ସୁରକ୍ଷା ବଳ ସେବା ଅଧିକାରୀ ଅଟନ୍ତି । ଏହା ପୂର୍ବରୁ ଯୋଶୀ ଜଳ ଶକ୍ତି ମନ୍ତ୍ରଣାଳୟର ସ୍ବଚ୍ଛ ଭାରତ ମିଶନ ଏବଂ ଜଳ ଜୀବନ ମିଶନ କାର୍ଯ୍ୟକ୍ରମ ମାନଙ୍କରେ ନିର୍ଦ୍ଦେଶକ ଭାବେ ୨୦୧୬ ମସିହା ଠାରୁ ୨୦୨୨ ମସିହା ପର୍ଯ୍ୟନ୍ତ ଡେପୁଟେସନରେ ଥାଇ କାର୍ଯ୍ୟ ତୁଲାଉଥିଲେ ।
ସେ ବିଭିନ୍ନ ରେଳପଥରେ ଭିନ୍ନ ଭିନ୍ନ ପଦପଦବୀରେ ଥାଇ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିବା ସହିତ ସୁରକ୍ଷା ସମ୍ବନ୍ଧୀୟ ଅପରାଧ ଅନ୍ବେଷଣ କ୍ଷେତ୍ରରେ ପ୍ରଗାଢ଼ ଦକ୍ଷତା ରଖିଛନ୍ତି । ୨୦୧୪ ରୁ ୨୦୧୬ ମସିହା ମଧ୍ୟରେ ରେଳବାଇ ବୋର୍ଡରେ ରେଳ ସୁରକ୍ଷା ବଳ ନିର୍ଦ୍ଦେଶକ, ଉତ୍ତର ରେଳପଥର ଦିଲ୍ଲୀ ଏବଂ ପୂର୍ବ ରେଳପଥର ହାଓଡ଼ା ରେଳ ମଣ୍ଡଳ ମାନଙ୍କରେ ବରିଷ୍ଠ ମଣ୍ଡଳ ସୁରକ୍ଷା ଆୟୁକ୍ତ ଭାବେ କାର୍ଯ୍ୟ ତୁଲାଇଛନ୍ତି । ସେ ମଧ୍ୟ ପୂର୍ବତଟ ରେଳପଥରେ ଉପମୁଖ୍ୟ ସୁରକ୍ଷା ଆୟୁକ୍ତ ଭାବେ ୨୦୦୮ ରୁ ୨୦୧୧ ମସିହା ମଧ୍ୟରେ କାର୍ଯ୍ୟ ସମ୍ପାଦନ କରିଛନ୍ତି ।
ସ୍ବଚ୍ଛ ଭାରତ ମିଶନ ଦଳର ଏକ ପ୍ରମୁଖ ସଦସ୍ୟ ଥିଲେ ଯାହାକି ବିଶ୍ବର ସର୍ବବୃହତ ଆଚରଣ ପରିବର୍ତ୍ତନ କାର୍ଯ୍ୟକ୍ରମକୁ ଯୋଜନା, କାର୍ଯ୍ୟକାରୀ ଏବଂ ତଦାରଖ କରୁଥିଲେ । ଭାରତକୁ ମୁକ୍ତ ମଳତ୍ୟାଗ କାର୍ଯ୍ୟକ୍ରମ ସଂଚାଳନ କରିବାରେ ସହାୟକ କରିଥିଲେ । ସେ ଆନ୍ତଃ-ମନ୍ତ୍ରଣାଳୟ ସ୍ଵଚ୍ଛତା କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ । ଯାହାଦ୍ବାରା ସ୍ଵଚ୍ଛତା କାର୍ଯ୍ୟ ଯୋଜନା, ସ୍ଵଚ୍ଛତା ପଖୱାଡା, ସ୍ଵଚ୍ଚ ପ୍ରତିଷ୍ଠିତ ସ୍ଥାନ ଏବଂ ଗଙ୍ଗା ଗ୍ରାମ କାର୍ଯ୍ୟକ୍ରମ ଗୁଡିକ ଅନ୍ତର୍ଭୁକ୍ତ ଥିଲା । ଏହାବ୍ୟତୀତ, 'ଦରଜା ବନ୍ଦ', 'ସ୍ଵଚ୍ଛ ସିଂ', 'ସୋନା ଖାଡ' ପରି ପ୍ରତିଷ୍ଠିତ ସୃଜନଶୀଳତାର ଧାରଣା ଏବଂ ସୁବିଧା ସମ୍ବନ୍ଧରେ ମନ୍ତ୍ରଣା ଦେଇଥିଲେ ।
ନିର୍ଦ୍ଦେଶକ (IEC) ଭାବରେ କାର୍ଯ୍ୟ ତୁଳାଉଥିବାବେଳେ 'ସତ୍ୟାଗ୍ରହ ଠାରୁ ସ୍ଵଚ୍ଛଗ୍ରହ ପର୍ଯ୍ୟନ୍ତ' ଭଳି ଗୀତଗୁଡିକର ବିଚାର ପ୍ରଦାନ କରିଥିଲେ। ସ୍ଵଚ୍ଛ ସଂକଳ୍ପ, ସ୍ଵଚ୍ଛ ସିଦ୍ଧି କାର୍ଯ୍ୟକ୍ରମ ଗୁଡିକରେ ସେ 5 କୋଟିରୁ ଅଧିକ ଛାତ୍ରଛାତ୍ରୀ ମାନଙ୍କୁ ଅଂଶଗ୍ରହଣ କରାଇଥିଲେ। ସତ୍ୟଗ୍ରାହରୁ ସ୍ବଚ୍ଛଗ୍ରହ, ସ୍ବଚ୍ଛତା ହିଁ ସେବା, ସ୍ଵଚ୍ଛ ଶକ୍ତି ଇତ୍ୟାଦି ଐତିହାସିକ ଜନ ଅଭିଯାନର ଆୟୋଜନ କରାଇବା ସହିତ ମହାତ୍ମା ଗାନ୍ଧୀ ଆନ୍ତର୍ଜାତୀୟ ପରିମଳ ସମ୍ମିଳନୀ (2018) ର ଆୟୋଜନ କରିଥିଲେ ଯେଉଁଥିରେ 56 ଟି ଦେଶ ଏବଂ ୟୁଏନଏସଜି ଅଂଶଗ୍ରହଣ କରିଥିଲେ।
ଦିଲ୍ଲୀ ସ୍ଥିତ ରାଜଘାଟ ନିକଟରେ ଅବସ୍ଥିତ ରାଷ୍ଟ୍ରୀୟ ସ୍ବଚ୍ଛତା କେନ୍ଦ୍ରର ପ୍ରତିଷ୍ଠାତା ନିର୍ଦ୍ଦେଶକ ଥିଲେ ଯେଉଁଠାରେ କଠିନ ବର୍ଜ୍ୟବସ୍ତୁ, ତରଳ ବର୍ଜ୍ୟବସ୍ତୁ ଏବଂ ମଳ ପରିଚାଳନା ପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଥିଲେ । ଯୁଗଳ ଯୋଶୀଙ୍କ କାର୍ଯ୍ୟ ଦକ୍ଷତା ପାଇଁ ସେ ୨୦୧୮ ମସିହାରେ ସାଧାରଣ ପ୍ରଶାସନ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ପ୍ରଧାନ ମନ୍ତ୍ରୀ ପୁରସ୍କାର, ୨୦୨୦ ମସିହାରେ ଭାରତୀୟ ପୋଲିସ ସେବା ପଦକ, ୨୦୧୩ ମସିହାରେ ଭାରତୀୟ ରେଳବାଇ ଜାତୀୟ ପୁରସ୍କାର, ୨୦୦୯ ମସିହାରେ ସିଙ୍ଗାପୁର ସ୍ଥିତ ଜାତୀୟ ବିଶ୍ବବିଦ୍ୟାଳୟରୁ ଲୋକ ପ୍ରଶାସନରେ ସ୍ନାତକୋତ୍ତର ଡିଗ୍ରୀ ଏବଂ ୨୦୦୧ ମସିହାରେ ରେଳବାଇ ସୁରକ୍ଷା ବଳ ମହା ନିର୍ଦ୍ଦେଶକଙ୍କ ପକ୍ଷରୁ ଉଚ୍ଚ ପ୍ରଶସ୍ତି ଓ ସୂଚକ ଚିହ୍ନ ସହିତ ଅନେକଥର ସମ୍ମାନିତ ହୋଇଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ