ଭୁବନେଶ୍ବର: କୋରନା ପରେ ବନ୍ୟାରେ ଅନେକ କ୍ଷୟକ୍ଷତି ହୋଇଛି । ଏଥିରେ ଅନେକ ଲୋକ ନିଜର ଜୀବନ ଜୀବିକା ହରାଇ ଥିବାବେଳେ ନିଜର ଶେଷ ଆଶା ଥିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହେବାରୁ ଚାଷୀ ନିଜ ଉପରୁ ନିୟନ୍ତ୍ରଣ ହରାଇ ଥିବା ଦେଖିବାକୁ ମିଳିଛି । ଏପରି ସ୍ଥଳରେ ନିକଟରେ ଚାଷ କ୍ଷତିଗ୍ରସ୍ତ ହେବା ଯୋଗୁଁ ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ରାଜ୍ୟ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଚାଷୀ ମୃତ୍ୟୁ ପାଇଁ ସରକାର ଦାୟୀ ବୋଲି କଂଗ୍ରେସର ବରିଷ୍ଠ ନେତା ରାମଚନ୍ଦ୍ର ଖୁଣ୍ଟିଆ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ତୁରାନ୍ତ 15 ଲକ୍ଷ ଟଙ୍କା ସହାୟତା କରିବାକୁ ଦାବି କରିଛନ୍ତି ।
ଏହାସହ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ଦୀର୍ଘ ବର୍ଷ ଧରି ସରକାର ଶାସନ କରୁଥିଲେ ମଧ୍ୟ ବନ୍ୟା ଓ ମରୁଡି ଭଳି ପ୍ରାକୃତିକ ଦୁର୍ବିପାକର ସମାଧାନ ପାଇଁ ସେଭଳି କିଛି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଯାହାର ପରିଣାମ ଜନସାଧାରଣମାନେ ଭୋଗୁଛନ୍ତି ।
ତେଣୁ ରାଜ୍ୟରେ ଏହି ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା ଆହୁରି ଚାଷୀମାନଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିବ ବୋଲି ପୂର୍ବତନ ସାଂସଦ ତଥା କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି । ସରକାର ଜନସାଧାରଣଙ୍କ ଏହି ଅବସ୍ଥାର ସରଜମିନ ତଦନ୍ତ କରିବା ସହ ସେମାନଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରିବାକୁ ଦଳ ପକ୍ଷରୁ ଦାବି କରିଛନ୍ତି । ନଚେତ ଚାଷୀ ଭାଇ ମାନଙ୍କ ସ୍ବାର୍ଥ ପାଇଁ କଂଗ୍ରେସ ରାଜରାସ୍ତାକୁ ଓଲ୍ଲାଇବ ବୋଲି ଚେତାବନୀ ଦେଇଛି କଂଗ୍ରେସ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ