ଭୁବନେଶ୍ବର: ବିଧାନସଭାରେ ଉଠିଲା ଜଗତସିଂହପୁର ନାବାଳିକା ଦୁଷ୍କର୍ମ ପ୍ରସଙ୍ଗ । ଶୂନ୍ୟକାଳରେ ସରକାରଙ୍କୁ ଘେରିଲେ ବିରୋଧୀ ଦଳ । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଗୃହରେ ସ୍ପଷ୍ଟୀକରଣ ଦେବାକୁ ଦାବି ରଖିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଯଦି ଏହି ଘଟଣା ସତ୍ୟ ହୋଇଥାଏ ତେବେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି ନରସିଂହ ମିଶ୍ର । ଏଥିସହ ଏହି ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ଦାବି କରି କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିବାରୁ 3ଟି ପର୍ଯ୍ୟାୟରେ ବିଧାନସଭା 40 ମିନିଟି ମୁଲତବୀ ହୋଇଥିଲା ।
ଏହି ଦୁଷ୍କର୍ମ ଘଟଣାରେ ବିଜେଡି ଏସସି ସେଲ ସଭାପତି ଦେଇଥିବା ମନ୍ତବ୍ୟକୁ ରାଜନୀତି ବୋଲି ଅଭିଯୋଗ କରିଥିଲେ ନରସିଂହ ମିଶ୍ର । ମୁଖ୍ୟମନ୍ତ୍ରୀ ମହିଳା ଓ ଶିଶୁଙ୍କୁ ନେଇ ରାଜନୀତି କରାନଯାଉ ବୋଲି କହୁଥିବାବେଳେ ଦଳୀୟ କର୍ମୀଙ୍କ ଏପରି ମନ୍ତବ୍ୟ ରାଜନୀତି ନୁହେଁ କି ବୋଲି ସେ ପ୍ରଶ୍ନ କରିଥିଲେ ନରସିଂହ? ଜଣେ ଅନୁସୂଚିତ ବର୍ଗର ନାବାଳିକା ଯୁବତୀଙ୍କୁ ଦୁଷ୍କର୍ମ ପରେ ପିଡୀତା ଆତ୍ମହତ୍ୟା କରିଛନ୍ତି । ତେଣୁ ଏହା ଉପରେ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ଦିଅନ୍ତୁ ।
ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ