ଭୁବନେଶ୍ବର: କୋରୋନା ଲଢେଇ ନେଇ ରାଜ୍ୟକୁ ଆର୍ଥିକ ସହଯୋଗ କରିଛି ଜଗଦ୍ଗୁରୁ କୃପାଲୁ ବିଶ୍ବବିଦ୍ୟାଳୟ । ଗୁରୁବାର କୋରୋନା ମୁକାବିଲାରେ ଯୋଗଦାନ ସ୍ବରୂପ ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ଏନ୍. ଆର୍.ଆଇ. ଡଃ ସୀତାକାନ୍ତ ଦାଶଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଦାନ କରାଯାଇଛି ।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଲୋକସେବା ଭବନରେ ବିଶ୍ବବିଦ୍ୟାଳୟର ସଭାପତି ସ୍ବାମୀ ମୁକୁନ୍ଦାନନ୍ଦ ଓ ରେଜିଷ୍ଟ୍ରାର ମଧୁସୂଦନ ମିଶ୍ରଙ୍କଠାରୁ ଏହି ରାଶିର ଚେକ୍ ଗ୍ରହଣ କରିଛନ୍ତି । ଏହି ଅବସରରେ ବର୍ତ୍ତମାନ ଆମେରିକାରେ ବାସକରୁଥିବା ଡଃ ଦାସ ଭିଡ଼ିଓ କଲ ମାଧ୍ୟମରେ ମୁଖ୍ୟ ଶାସନ ସଚିବଙ୍କ ସହ କଥା ହୋଇଥିଲେ । ଡଃ ଦାସ ବର୍ତ୍ତମାନ ଆମେରିକା ଓଡ଼ିଆ ସୋସାଇଟିର ସଭାପତି ଏବଂ ମହାନଗରୀ 'ମାଇନ୍ପୋଲିସ୍' ହିନ୍ଦୁ ମନ୍ଦିର ଅଧ୍ୟକ୍ଷ ଅଛନ୍ତି ।
ଡଃ ଦାସ କହିଛନ୍ତି କି, ‘‘ ଏହା ମୋର ମାତୃଭୂମି ପାଇଁ ବିନମ୍ର ନିବେଦନ । ମୁଁ ଆଶା କରୁଛି ମୋର ଏହି ନିବେଦନ ଆମେରିକା ତଥା ବିଶ୍ବର ଅନ୍ୟାନ୍ୟ ଦେଶରେ ବାସକରୁଥିବା ଓଡ଼ିଆ ଏନ୍.ଆର୍.ଆଇ. ମାନଙ୍କୁ ନିଜ ମାତୃଭୂମି ଓଡ଼ିଶାର ସହଯୋଗ ନିମନ୍ତେ ଅନୁପ୍ରେରିତ କରିବ ।
ଏହି ସହଯୋଗ ପାଇଁ ମୁଖ୍ୟ ଶାସନ ସଚିବ ଡଃ ଦାସଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ସାଧୁବାଦ ଜଣାଇଛନ୍ତି । ଏଥିସହ ଓଡ଼ିଶାରେ ନିର୍ମାଣାଧିନ ଜଗଦ୍ଗୁରୁ କୃପାଲୁ ବିଶ୍ବବିଦ୍ୟାଳୟର ଉତ୍କଳ ଭବିଷ୍ୟତ ଆଶା ରଖିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ