ଭୁବନେଶ୍ୱର: ରାଜ୍ୟରେ ଜଟିଳ ହୋଇଛି ବିଦ୍ୟୁତ ସଙ୍କଟ । ସପ୍ତାହେ ପର୍ଯ୍ୟନ୍ତ ବଳବତ୍ତର ରହିବ ଏପରି ସ୍ଥିତି । ସ୍ଥିତି ସୁଧୁରିବା ପାଇଁ ଏକ ସପ୍ତାହ ସମୟ ଲାଗିବ । ରାଜ୍ୟ ସରକାର ଓ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥା ଅପରିମାଣଦର୍ଶିତା ଯୋଗୁଁ ଏଭଳି ଅବସ୍ଥା ଭୋଗିବେ ରାଜ୍ୟବାସୀ ।
ରାଜ୍ୟରେ ବିଦ୍ୟୁତ ସଙ୍କଟ ନେଇ ପ୍ରତିକ୍ରିୟା ରଖିଛନ୍ତି ଗ୍ରୀଡକୋ MD ତ୍ରିଲୋଚନ ପଣ୍ଡା । ତ୍ରିଲୋଚନ କହିଛନ୍ତି ଯେ, "ସାମୟିକ ଭାବେ ବିଦ୍ୟୁତ କାଟ ହେଉଛି । ଏକ ସପ୍ତାହ ମଧ୍ୟରେ ଏଥିରେ ସୁଧାର ଆସିବ । ଚଳିତବର୍ଷ ଆଗୁଆ ଖରା ଆସିଛି । ମେ ମାସ ପାଇଁ ପ୍ରସ୍ତୁତ ରହିଥିଲୁ । ମେ ମାସରେ ଯାହା ଡିମାଣ୍ଡ ରହିବା କଥା ତାହା ଏପ୍ରିଲରୁ ହିଁ ଦେଖାଯାଇଛି । ଯାହା ଫଳରେ ଆବଶ୍ୟକତାଠୁ ଅଧିକ ବିଦ୍ୟୁତ ଆବଶ୍ୟକ ହେଉଛି । ଆଭରେଜ ଡିମାଣ୍ଡଠୁ ପିକ୍ ଡିମାଣ୍ଡ 10 ପ୍ରତିଶତ ଅଧିକ ହୋଇଛି । ପିକ୍ ସମୟରେ 4 ହଜାର 400 ମେଗାୱାଟ ଆବଶ୍ୟକ ହେଉଛି । ବର୍ତ୍ତମାନ ରାଜ୍ୟରେ 450 ମେଗାୱାଟ ନିଅଣ୍ଟ ହେଉଛି ।"
ରାଜ୍ୟରେ ଜଳବିଦ୍ୟୁତ ଓ ତାପଜ ବିଦ୍ୟୁତର ଅଭାବ ଦେଖାଯାଇଛି । ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯାଉଛି । ଆଜି (ସୋମବାର) ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଜଳବିଦ୍ୟୁତ ଓ ତାପଜ ବିଦ୍ୟୁତ ଉତ୍ପାଦନ ବଢାଇବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ତାପଜ ବିଦ୍ୟୁତ ଉତ୍ପାଦନକାରୀ କମ୍ପାନୀମାନଙ୍କୁ କୋଇଲା ଯୋଗାଇ ଦେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଇଣ୍ଡଷ୍ଟ୍ରୀଗୁଡ଼ିକୁ ପିକ୍ ସମୟରର କମ୍ ବିଦ୍ୟୁତ ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଶିଳ୍ପାଞ୍ଚଳରୁ କିଛି ବିଦ୍ୟୁତ ଘରୋଇ କ୍ଷେତ୍ରକୁ ଦିଆଯିବ ବୋଲି କୁହାଯାଇଛି । ଅନ୍ୟ ରାଜ୍ୟରେ ବିଦ୍ୟୁତର ଘୋର ସଙ୍କଟ ଦେଖାଯାଇଛି । ଆମ ରାଜ୍ୟରେ ସ୍ଥିତି ଏତେ ଖରାପ ନାହିଁ । ଯାହା ବି ଅସୁବିଧା ଅଛି ଏକ ସପ୍ତାହ ମଧ୍ୟରେ ସମାଧାନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ