ଭୁବନେଶ୍ବର: ଛାତ୍ରୀଙ୍କ ରକ୍ତହୀନତା ଦୂରୀକରଣ ଉପରେ ଗୁରୁତ୍ବାରୋପ କରିଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏଥିଲାଗି ପିଲାଙ୍କୁ ଦିଆଯିବ ଆଇରନ ଓ ଫଲିକ ଏସିଡ ବଟିକା । 10 ରୁ 19 ବର୍ଷର ସମସ୍ତ ଛାତ୍ରୀଙ୍କୁ ବିଦ୍ୟାଳୟରେ ଏବଂ ବିଦ୍ୟାଳୟ ଯାଉନଥିବା କିଶୋରୀଙ୍କୁ ଅଙ୍ଗନବାଡି କେନ୍ଦ୍ରରେ ସପ୍ତାହରେ ଥରେ ଦିଆଯିବ ଏହି ବଟିକା ।

ଏହି ବଟିକା ପୁଷ୍ଟି ଅନୁପୁରକ ହୋଇଥାଏ । IFA ବଟିକା ବିଦ୍ୟାଳୟରେ (ସୋମବାର) ଓ ଅଙ୍ଗନୱାଡି କେନ୍ଦ୍ରରେ (ଶନିବାର) ଦିନ ବିନାମୂଲ୍ୟରେ ଦିଆଯିବ । ଆଇଏଫଏ ବଟିକା ଔଷଧ ନୁହେଁ, ଏହା ଅନୁପୂରକ ବୋଲି କହିଛି ସ୍ବାସ୍ଥ୍ୟ ବିଭାଗ । ପ୍ରତି 6 ମାସରେ ଥରେ କୃମିନାଶକ ଔଷଧ ଖାଇବା ସହିତ ନିୟମିତ ଲୌହସାର ଯୁକ୍ତ ଖାଦ୍ୟ ଯଥା ସବୁଜ ଶାଗ, ପରିବା, ସୋୟାବିନ୍, ଚୁଡା, ମାଛ (ମାଗୁର, ରୋହି, କଉ) ମାଂସ, କଲିଜା ଏବଂ ଡାଲି ଖାଇବା ଉଚିତ ।
ଏହାସହିତ ଲୌହସାରର ଅବଶୋଷଣ ପାଇଁ ଭିଟାମିନ୍-ସି ଯୁକ୍ତ ଖାଦ୍ୟ (ଅଁଳା, ଲେମ୍ବୁ, କମଳା, ପିଜୁଳି, ବିଲାତି ବାଇଗଣ, ଗଜାମୁଗ, ଗଜାବୁଟ ଇତ୍ୟାଦି) ଖାଇବା ଆବଶ୍ୟକ । ତେବେ ଏ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦେଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ