ଭୁବନେଶ୍ବର: ଯୋଗ ମଣିଷ ଶରୀର ଓ ମନକୁ ଫିଟ୍ ରଖେ । ମାନସିକ ଚାପ ଓ ରୋଗରୁ ଉପଶମ ଦେଇଥାଏ । ଅଧିକାଂଶ ଲୋକ ଭୂମି ଉପରେ ଯୋଗ କରନ୍ତି, କିନ୍ତୁ ଜଳରାଶିରେ ଯୋଗ କରିବା ନିଶ୍ଚିତ ଭାବେ ନିଆରା । ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆମେ ଏମିତି ଜଣେ ପ୍ରତିଭାଙ୍କ କଥା କହୁଛୁ ଯିଏକି ଜଳରେ କେବଳ ଯୋଗ ନୁହେଁ ପ୍ରାଣାୟମ ମଧ୍ୟ କରନ୍ତି ।

ମୁଣ୍ଡରେ ଟାଇଟ କ୍ୟାପ, ଆଖିରେ ଚଷମା,ଫେକ୍ସିବୁଲ ପୋଷାକ ପିନ୍ଧି ଜଳରେ ଯୋଗ କରିବାରେ ମାହିର ଅଶୋକ ବରାଳ । ଶରୀରକୁ ଫିଟ ରଖିବା ପାଇଁ ଭିନ୍ନ ଭିନ୍ନ ଭଙ୍ଗୀରେ ପହଁରିବା ପରେ ଆରମ୍ଭ କରିଛନ୍ତି ପ୍ରାଣାୟମ । ସେହିପରି ପାଣିରେ ଅନେକ ଭାସମାନ ଅବସ୍ଥାରେ ଅନୁଲମ-ବିଲୋମ ଓ କପାଲଭାତି କରି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଅଶୋକ । ଏଭଳି ଯୋଗ ଓ ପ୍ରାଣାୟମ କରିବା ଦ୍ବାରା ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ସଚଳ ହେବା ସହ ରକ୍ତ ସଞ୍ଚାଳନ ଭଲ ହୁଏ ।
ସେହିପରି କେବଳ ପ୍ରାଣାୟମ ନୁହେଁ ବକ୍ରାସନ,ପଦ୍ମାସନ, ଧନୁସାନ, ଶବାସନ,ଏକପଦି ଆସନ ଭଳି ଯୋଗ ସେ ପାଣିରେ କରିପାରୁଛନ୍ତି। ଗୋଡ, ହାତ ଛନ୍ଦି ପାଣିରେ ଘଣ୍ଟା ଘଣ୍ଟା ଧରି ଭାସମାନ ଅବସ୍ଥାରେ ରହିପାରୁଛନ୍ତି । ତେବେ କୋରୋନା ମହାମାରୀ ସମୟରେ ଅନୁଲମ-ବିଲୋମ, କପାଳଭାତି କରିବା ଦ୍ବାରା ମଣିଷ ଶରୀରରେ ଏହା ରୋଗ ପ୍ରତିଷେଧକ ଶକ୍ତିର କ୍ଷମତା ବଢାଇଥାଏ । ଅଶୋକଙ୍କ ଘର ସିଆରପି ଛକରେ ହୋଇଥିବା ବେଳେ ସେ ପ୍ରତିଦିନ କଳିଙ୍ଗ ଷ୍ଟାଡିୟମରେ ଥିବା ସୁଇମିଂ ପୁଲରେ ନିଜେ ଜଳ ଯୋଗ କରିବା ସହ ପିଲାମାନଙ୍କୁ ପ୍ରଶିକ୍ଷଣ ଦିଅନ୍ତି ।

ଭୁବନେଶ୍ବରରୁ ତପନ ଦାସ ଓ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ