ଭୁବନେଶ୍ବର: ଆତଙ୍କ ଖେଳାଇଲେ ଡକାୟତି ଗ୍ୟାଙ୍ଗ୍ । ଗ୍ରିଲ୍ ତାଡି ରାତି ଅଧରେ ଘରେ ପଶିଲେ । ଆଉ ଲୁଟିଲେ ଘରେ ଥିବା ଗହଣା ଓ ଟଙ୍କା । ଧଉଳି ଥାନା ନୂଆଗାଁରେ ଘଟିଛି ଏହି ଘଟଣା । ଗତ ୫ତାରିଖ ରାତିରେ ଗାୟତ୍ରୀ ପଣ୍ଡାଙ୍କ ଘରେ ପଶି କିଛି ଅଣ ଓଡିଆ ଲୁଟେରା ଏପରି କାଣ୍ଡ ଘଟାଇଥିବା ଜଣାପଡ଼ିଛି ।
୫ଜଣ ଦୁର୍ବୃତ୍ତ ହିନ୍ଦୀରେ କଥାବାର୍ତ୍ତା କରୁଥିଲେ । ପରେ ମାଆ ଓ ଝିଅଙ୍କୁ ଧମକ ଦେଇ ୩ଟି ସୁନା ଚେନ୍ ସହ ୨ଟି ହାତ ଶଙ୍ଖା, ୫ଟି ମୁଦି ଓ ୬ଟି କାନଫୁଲ ସହ କିଛି ନଗଦ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି । 'ଦିଦି ଜୋ ହେ ଦେ ଦୋ' ବୋଲି କହିଥିଲେ । ଖବର ପାଇବା ପରେ ପୋଲିସ ଫରେନସିକ୍ ଟିମ ପହଞ୍ଚି ତନାଘନା କରିଛି । ଏପରିକି ପାଖରେ ଥିବା CCTV ସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଛି ପୋଲିସ । ଏନେଇ ଭୁବନେଶ୍ବର DCP ପ୍ରତୀକ ସିଂ କହିଛନ୍ତି ଯେ ଘଟଣାର ତର୍ଜମା ଚାଲିଛି ।
ତେବେ ବିଗତ କିଛି ଦିନ ଧରି ରାଜଧାନୀରେ ଆତଙ୍କ ଖେଳାଉଛନ୍ତି ଅପରାଧୀ । କେତେବେଳେ ଘରେ ପଶି ଡକାୟତି କରୁଛନ୍ତି ତ କେତେବେଳେ ରାସ୍ତା ଉପରେ ଆତଙ୍କ ଖେଳାଇ ଲୁଟ୍ କରୁଛନ୍ତି । ଏପରିକି ସୁନା ବ୍ୟବସାୟୀଠୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ହଇରାଣ କରୁଛନ୍ତି ଲୁଟେରା । ଯାହାକୁ ଧରିବା ପାଇଁ ପୋଲିସ ବିଭିନ୍ନ କୌଶଳ ଆପଣାଇଥିଲେ ମଧ୍ୟ ଠାବ କରିବାରେ ବିଫଳ ହୋଇଛି ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ